ଭୁବନେଶ୍ୱର: ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ଟୀକାର ଗୁଣବତ୍ତାସମ୍ପର୍ଣ୍ଣ ପରିଚାଳନା ପାଇଁ
ରାଜ୍ୟ ଟୀକା ଭଣ୍ଡାର ଦେଶର ପ୍ରଥମ ଟୀକା ଭଣ୍ଡାର ଭାବେ ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି। ଟୀକାର ଉପଯୁକ୍ତ ସଂରକ୍ଷଣ, କୋଲ୍ଡ ଚେନ୍ ପରିଚାଳନା, ଯୋଗାଣ ଶୃଙ୍ଖଳ ପରିଚାଳନା, ଅନଲାଇନ୍ ସଫ୍ଟୱୟାର ଜରିଆରେ କମ୍ପ୍ୟୁଟରୀକୃତ ରେକର୍ଡ, ପ୍ରତ୍ୟହ ଦୁଇଥର ତାପମାତ୍ରା ପରୀକ୍ଷା ଦ୍ୱାରା ଟୀକାର ମାନ ବଜାୟ ରଖିବା ଓ ଶୂନ୍ୟ ଅପଚୟ ପରି ମାନକଗୁଡ଼ିକ ପାଇଁ ରାଜ୍ୟ ଟୀକା ଭଣ୍ଡାରକୁ ଏହି ପ୍ରମାଣପତ୍ର ମିଳିଛି ।
ସଠିକ କୋଲ୍ଡ ଚେନ୍ ବ୍ୟବସ୍ଥା ଏବଂ ଟୀକାର ଉପଯୁକ୍ତ ପରିବହନ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଅନୁମୋଦିତ ତାପମାତ୍ରାରେ ଟୀକାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶାରେ ରାଜ୍ୟ ଟୀକା ଭଣ୍ଡାର, ୯ଟି ଆଞ୍ଚଳିକ ଏବଂ ୩୨ଟି ଜିଲ୍ଲା ଟୀକା ଭଣ୍ଡାର ସମେତ ୧୨୬୩ଟି କୋଲ୍ଡ ଚେନ୍ କେନ୍ଦ୍ର ରହିଛି। ସମସ୍ତ ଟୀକାର ଦୈନନ୍ଦିନ ଯୋଗାଣ ଶୃଙ୍ଖଳ ଓ ଗୁଣବତ୍ତାର ପରିଚାଳନା ପାଇଁ ସମସ୍ତ ଟୀକା ଭଣ୍ଡାରରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି।
ପ୍ରତିବର୍ଷ ୯.୪ ଲକ୍ଷ ଗର୍ଭବତୀ ମହିଳା, ୭.୯ ଲକ୍ଷ ନବଜାତ ଓ ୨୮ ଲକ୍ଷ କିଶୋର/କିଶୋରୀଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ ଟୀକା ଭଣ୍ଡାରଗୁଡ଼ିକ ୨.୩୬ କୋଟି ଟିକାର ଉପଯୁକ୍ତ ସଂରକ୍ଷଣ ପାଇଁ ଯତ୍ନବାନ ରହିଛି ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୭ଟି ଆଞ୍ଚଳିକ ଏବଂ ୨୨ଟି ଜିଲ୍ଲା ଟୀକା ଭଣ୍ଡାର ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇସାରିଛନ୍ତି।
Comments are closed.