ଭୁବନେଶ୍ୱର: ୱାର୍ଲ୍ଡ ସ୍କିଲ୍ ସେଣ୍ଟର (World Skill Center – WSC) ର ଛାତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞତା ହାସଲ କରିବା ଏବଂ ଗ୍ଲୋବାଲ୍ କ୍ୟାରିୟର ଗଠନ କରିବା ପାଇଁ ସିଙ୍ଗାପୁର ଯାଇଛନ୍ତି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର ITE Education Services (ITEES) ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ୨୦୨୫-୨୬ ବ୍ୟାଚ୍ର ୨୩ ଜଣ ଛାତ୍ରଛାତ୍ରୀ ୬ ମାସର ପେଡ୍ ଇଣ୍ଟର୍ନସିପ୍ ପାଇଁ ସିଙ୍ଗାପୁର ଗସ୍ତ କରିଛନ୍ତି। ସିଙ୍ଗାପୁର ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ (SIP) ର ଏହା ହେଉଛି ପଞ୍ଚମ ବ୍ୟାଚ୍।
ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ଛଅଟି ସଂସ୍ଥା; ଫୋର୍ ସିଜନ୍ସ ହୋଟେଲ୍, ଗୁଡଉଡ୍ ପାର୍କ ହୋଟେଲ୍, ନ୍ୟୁୱେ ସିଷ୍ଟମ୍ସ, ନେପଚ୍ୟୁନ୍ ଟେକ୍ନୋଲୋଜି, ଗ୍ରେସ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ଭାଣ୍ଟିଭ୍ ମ୍ୟାନୁଫାକ୍ଚରିଂରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଏନେଇ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି, “ସିଙ୍ଗାପୁରରେ ଏହି ଛଅ ମାସିଆ ଇଣ୍ଟର୍ନସିପ୍ ଛାତ୍ରଛାତ୍ରୀଙ୍କୁ ନିଜ ଦକ୍ଷତାକୁ ବାସ୍ତବ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା ଏବଂ ନୂଆ ଅନୁଭୂତି ହାସଲ କରିବାର ସୁଯୋଗ ଦେବ। ଏହାଦ୍ୱାରା ସେମାନେ ନିଜ ଭବିଷ୍ୟତ ପାଇଁ ଅଧିକ ପ୍ରସ୍ତୁତ ହୋଇପାରିବେ। ଆମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବପିଢ଼ିଙ୍କୁ ଏପରି ଭାବେ ପ୍ରସ୍ତୁତ କରିବା, ଯାହାଦ୍ୱାରା ସେମାନେ ନିଜ ଦକ୍ଷତା ବଳରେ ଦେଶ ଓ ବିଦେଶରେ ସଫଳତା ହାସଲ କରିପାରିବେ।”
ଏହି ଅବସରରେ ବୁଧବାର ସିଙ୍ଗାପୁରରେ ଏକ ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ଉଚ୍ଚ ଆୟୋଗର ପ୍ରଥମ ସଚିବ (ଅର୍ଥନୀତି)ସନ୍ୟମ ଯୋଶୀ, ସିଙ୍ଗାପୁର ସରକାରଙ୍କ ଶକ୍ତି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ବରିଷ୍ଠ ସହକାରୀ ନିର୍ଦ୍ଦେଶକ ବିବେକ ରଘୁରାମନ, ଅମାନସା କ୍ୟାପିଟାଲ୍ର ନିର୍ଦ୍ଦେଶିକା ଆମି ପାରିଖ, ଆଇଟିଇ ଏଜୁକେସନ୍ ସର୍ଭିସେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ନଟରାଜନ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସହ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଏହି ଇଣ୍ଟର୍ନସିପ୍ ଜରିଆରେ ସେମାନେ ହସ୍ପିଟାଲିଟି (ଆତିଥେୟତା), ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଏବଂ ମାନୁଫାକ୍ଚରିଂ (ଉତ୍ପାଦନ) ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାସ୍ତବିକ କାର୍ଯ୍ୟର ଅଭିଜ୍ଞତା ହାସଲ କରିବେ। ଓଡ଼ିଶାର ଯୁବପିଢ଼ିଙ୍କୁ ବୈଶ୍ୱିକ କାର୍ଯ୍ୟକ୍ଷେତ୍ରର ଶୈଳୀ ସହ ପରିଚିତ କରାଇବା ଏବଂ ସେମାନଙ୍କର ବିଦେଶରେ ନିଯୁକ୍ତି ପାଇବାର ସମ୍ଭାବନାକୁ ବୃଦ୍ଧି କରିବା। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର ଆଇଟିଇ ଏଜୁକେସନ୍ ସର୍ଭିସେସ୍ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିରେ ନୂଆ ନୂଆ ଜ୍ଞାନକୌଶଳକୁ ବ୍ୟବହାର କରି ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକରେ କିପରି କାମ କରାଯାଏ ତାହା ସେମାନେ ଶିଖିବାର ସୁଯୋଗ ପାଉଛନ୍ତି। ଏହା ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ ସହ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି।

