୨୦୨୭ ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି: ସହର ବିକାଶ, ନୂଆ ପାର୍କିଂ ବ୍ୟବସ୍ଥା, ଭିତ୍ତିଭୂମି କାମ ଶେଷ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ଆସନ୍ତାବର୍ଷ ରଥଯାତ୍ରା ପାଇଁ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ। ୨୦୨୭ ଜୁଲାଇ ୫ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ୧୩ ଜୁଲାଇରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରଥଯାତ୍ରା ପୂର୍ବରୁ ଭିତ୍ତିଭୂମି କାମ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାସ୍ତା ମରାମତି ସହ ନୂଆ ପାର୍କିଂ ବ୍ୟବସ୍ଥା ଯୋଜନା କରାଯାଇଛି।
ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ସୁବିଧା ଉପରେ ଗୁରୁତ୍ୱ ଦିଆଯାଇ ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୭ ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପାଇଁ କେତେକ କ୍ଷେତ୍ରରେ ଆଗୁଆ ନିଷ୍ପତ୍ତିର ଆବଶ୍ୟକତା ଦୃଷ୍ଟିରୁ ବୈଠକର ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଛି । ଏଥି ସହିତ ପୁରୀ ସହରର ବିକାଶ ପାଇଁ କେତେକ ଦୀର୍ଘସୂତ୍ରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି ।
ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ରଥଯାତ୍ରା ପୂର୍ବରୁ ସମ୍ପନ୍ନ କରାଯିବାକୁ ଥିବା କାର୍ଯ୍ୟ, ଭିତ୍ତିଭୂମିର ଉନ୍ନତିକରଣ ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ବୈଠକରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀ, ଡିଜିପି ବିନୟତୋଷ ମିଶ୍ରଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପି, ବିଭିନ୍ନ ବିଭାଗ ଏବଂ ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

