Latest Odisha News

BREAKING NEWS

ଅମ୍ଫାନ ମୁକାବିଲାରେ ନେତୃତ୍ୱ ନେଉଥିବା ଦୁଇ ଓଡିଆ ଯୋଦ୍ଧାଙ୍କ ପାଇଁ ଓଡିଶା ଗର୍ବିତ

ଭୁବନେଶ୍ୱର : ଅମ୍ଫାନ ଓଡିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ସ୍ଥଳଭାଗକୁ ଛୁଇଁଛି । ଏହାର ମୁକାବିଲା ପାଇଁ ଦିନରାତି ଏକ କରି କାମ କରିଆସୁଛି ଆଇଏମଡି ବା ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ ଏବଂ ଏନଡିଆରଏଫ ବା ନ୍ୟାସନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ। ଏହି ଦୁଇ ବିଭାଗର ଅକ୍ଲାନ୍ତ ପରିଶ୍ରମ ପାଇଁ ଏହି ପ୍ରାକୃତିକ ବିପର୍ଯ୍ୟସ୍ତ ବେଳେ ଧନଜୀବନ ରକ୍ଷା ହୋଇ ପାରିଛି । ତେବେ ଏହି ଦୁଇ ସଂସ୍ଥାର ନେତୃତ୍ୱ କରୁଥିବା ଦୁଇ ଓଡ଼ିଆ ଙ୍କ ପାଇଁ ସର ଓଡ଼ିଶାବାସୀ ଆଜି ଗର୍ବିତ ।

ଏହି ଦୁଇ ଓଡିଆ ହେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ।

ଆଇଏମଡି ସମ୍ଭାବ୍ୟ ବାତ୍ୟାର ପୂର୍ବ ସୂଚନା ପ୍ରଦାନ କରିଵା ସହ, ବାତ୍ୟାର ଗତିପଥ, ପବନର ବେଗ, ସ୍ଥଳଭାଗ ଛୁଇଁବାର ସ୍ଥାନ ଓ ସମୟ ସମ୍ପର୍କରେ ସୂଚନା ଦେଇଥାଏ । ଆଇଏମଡିର ସୂଚନାକୁ ଆଧାରକରି ଲୋକେ ସଚେତନ ହୋଇଥାନ୍ତି ଏବଂ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଥାନ୍ତି ।

ସେହିପରି ବାତ୍ୟା ସମୟରେ ବା ବାତ୍ୟା ପରବର୍ତ୍ତୀ ଜରୁରୀକାଳୀନ ପରିସ୍ଥିତି, ସମସ୍ୟା, କ୍ଷୟକ୍ଷତି ବା ଅସୁବିଧାକୁ ସାହସର ସହିତ ମୁକାବିଲା କରିଥାଏ ଏନଡିଆରଏଫ୍ । ଅପହଂଚ ଅଂଚଳରେ ପହଂଚି କ୍ଷତିଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା, ଗମନାଗମନ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାକୁ ସଜାଡ଼ିବା ଭଳି ବହୁ କଷ୍ଟସାଧ୍ୟ ସମସ୍ୟାକୁ ସମାଧାନ କରିଥାଏ ଏନଡିଆରଏଫ୍ ।

ଅମ୍ଫାନକୁ ନେଇ ଯଦିଓ ଓଡ଼ିଶା ପାଇଁ ଭୟ ଲାଗି ରହିଥିଲା ଏହି ଦୁଇ ଛାମୁଆ ସଂସ୍ଥା ଯୋଗୁଁ ବିପଦ ଦୂର ହୋଇଛି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅନେକ ସମୟରେ ଓଡିଶା ଆସିଵା ସହ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ସହଯୋଗ କରିଥାନ୍ତି ।

ସେହିପରି ଝାଡ଼ଖଣ୍ଡ କ୍ୟାଡର ଆଇପିଏସ ଅଫିସର ରହିଥିବା ତଥା ବର୍ତମାନ ଏନଡିଆରଏଫ ଡିଜି ଥିବା ସତ୍ୟନାରାୟଣ ପ୍ରଧାନ ଝାଡ଼ଖଣ୍ଡ ପୋଲିସ ବିଭାଗ ଅଧୀନରେ ଅତିରିକ୍ତ ଡିଜି ଅପରେସନ ଥିବା ବେଳେ ହିଁ ଓଡିଶାରୁ ଧରା ପଡିଥିଲା ଅଲକାଏଦା ଆତଙ୍କବାଦୀ ଅବଦୁଲ ରହମାନ । ଝାଡ଼ଖଣ୍ଡରେ ବି ଅବଦୁଲ ଚଳାଇଥିଲା ଆତଙ୍କୀ ନେଟୱାର୍କ । ସତ୍ୟନାରାୟଣଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତ ଓ ତଥ୍ୟକୁ ଭିତ୍ତି କରି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଅବଦୁଲକୁ ଓଡିଶାରୁ ଗିରଫ କରିଥିଲା ।

ଏହି ଦୁଇ ଓଡ଼ିଆ ଡିଜିଙ୍କ ଲାଗି ଓଡିଶାବାସୀ ଗର୍ବିତ ।

Leave A Reply

Your email address will not be published.