ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁର ବାସିନ୍ଦାଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି।
ତନ୍ମଧ୍ୟରେ ରହିଛି ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁର।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ଜରିଆରେ କହିଛନ୍ତି ଯେ ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲ ମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ବର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏହା ଏକ ଆକର୍ଷଣୀୟ ସହର। ଯାହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି।
ଯାହାକୁ ଦୃଷ୍ଟିରୁ ଏହାର ସାମଗ୍ରିକ ବିକାଶ ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଟାଉନ ପ୍ଲାନିଂ କାର୍ଯକ୍ରମରେ ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ।
ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ବ ଗ୍ରାମରେ ୪୫ଟି ଟାଉନ ପ୍ଲାନିଂ କରାଯାଇଛି। ପ୍ରାଥମିକଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି। ଯେଉଁଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି।
ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରରେ ଏଭଳି ଅଭନବ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସହରର ଭିତ୍ତିଭୂମି ବିକାଶ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ଯୋଜନା ସମ୍ପର୍କରେ ଏକ ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ କିଶନ କୁମାର, ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।
Comments are closed.