Latest Odisha News

BREAKING NEWS

ଲଘୁ ଖଣିଜ ପରିଚାଳନା ପାଇଁ ହେବ ନୂଆ ନୀତି

ଭୁବନେଶ୍ୱର: ଖଣିଜ ସମ୍ପଦର ସାର୍ବଜନିକ, ବ୍ୟକ୍ତିଗତ ଓ ଔଦ୍ୟୋଗିକ ବ୍ୟବହାର ପାଇଁ ଓଡିଶା ସରକାର ଏକ ନୂଆ ନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଫଳରେ ଲଘୁ ଖଣିଜ ସମ୍ପଦ ଗୁଡିକର ସ୍ଥାୟୀ ଓ ଶୃଙ୍ଖଳିତ ଭାବେ ଯୋଗାଣ ହୋଇପାରିବ ।ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।

ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ବାଲି, ମୋରମ ଓ ଚିପ୍ସ ଭଳି ମାମୁଲି ଖଣିଜଦ୍ରବ୍ୟର ପରିଚାଳନା ପାଇଁ ଭିନ୍ନ ଏକ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ବର୍ତ୍ତମାନ ଏହି ଖଣିଜ ଦ୍ରବ୍ୟ ଗୁଡିକ ଜିଲ୍ଲା ପ୍ରଶାସନ ଅଧିନରେ ଥିବା ତହସିଲଦାରଙ୍କ ତତ୍ୱାବଧାନରେ ପରିଚାଳନା ହେଉଛି । ଓଡିଶା ସରକାର ଏହି ବିଷୟରେ ଅଧ୍ୟୟନ କରିବା ପାଇଁ ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଓ କର୍ଣ୍ଣାଟକକୁ ଏକ ଟିମ୍ ପଠାଇଥିଲେ । ସେମାନେ ଖଣିଜଦ୍ରବ୍ୟର ଚାହିଦା-ଯୋଗାଣ-ପରିଚାଳନା, ନିଲାମ ପ୍ରକ୍ରିୟା ଖନନ, ଯୋଗାଣ ଶୃଙ୍ଖଳ, କେପିଙ୍ଗ ମୂଲ୍ୟ, ଅନ୍ତିମ ବ୍ୟବହାର ସଂପର୍କରେ ବିବରଣୀ ସଂଗ୍ରହ କରିଛନ୍ତି ।

ଅପରପକ୍ଷରେ ଅଧ୍ୟୟନ ଟିମ୍ ଆଜି ରିପୋର୍ଟ ପ୍ରଦାନ କରିଛନ୍ତି । ଓଡିଶା ପ୍ରସଙ୍ଗରେ ଏହି ରିପୋର୍ଟକୁ ଆହୁରି ବିଶ୍ଲେଷଣ ଓ ସରଳ କରାଯିବ । ଏହି ତଥ୍ୟ ଆବଶ୍ୟକୀୟ ନୀତି ନିର୍ମାଣରେ ସହାୟକ ହେବ ବୋଲି ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ରାଜକୁମାର ଶର୍ମା, ଅତିରିକ୍ତ ମୁଖ୍ୟ ସଚିବ ଏବଂ କୃଷି ଉତ୍ପାଦନ କମିଶନ ପ୍ରଦୀପ୍ତ ମହାପାତ୍ର, ଅଧ୍ୟୟନ ଟିମର ସଦସ୍ୟ ଓ ରାଜସ୍ୱ ଓ ବିପତ୍ତି ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.