Latest Odisha News

BREAKING NEWS

ଜନ୍ମଦିନ

ଜନ୍ମଦିନ

କମଳା ଶତପଥୀ

ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଯେତେ ବେଗରେ ଆଗେଇ ଚାଲୁଥିଲା, ତା’ଠୁ ଦ୍ରୁତ ବେଗରେ ଆଗେଇ ଚାଲିଥିଲା ମାୟାର ହୃତସ୍ପନ୍ଦନ । ଆଖିରୁ ଝରି ଚାଲିଥିଲା ଅମାନିଆ ଅଶ୍ରୁଧାର । ରାତି ପାହିଲେ ତା’ର ଜନ୍ମଦିନ । ହେତୁ ପାଇଲା ଦିନରୁ ଏଇ ରାତିଟି କେବଳ ତା’ ପାଇଁ ବୋଲି ନୁହେଁ, ଚିହ୍ନା ପରିଚିତ, ବନ୍ଧୁବାନ୍ଧବ ଆଉ ସାଙ୍ଗସାଥୀ, ସମସ୍ତଙ୍କ ପାଇଁ ହୋଇଥାଏ ଖୁବ୍ ଖୁସିର ଦିନ । ପିଲା ଥିଲା ବେଳେ ମାମା ପାପାଙ୍କ ପାଇଁ, ଆଉ ଯୌବନରେ ପାଦ ଦେବା ପରେ ସାଙ୍ଗସାଥୀଙ୍କ, ବିଶେଷ କରି ଅନିରୁଦ୍ଧ ପାଇଁ । ରାତିରୁ ହିଁ ଆରମ୍ଭ ହେଇଯାଏ ସେଲିବ୍ରେସନ୍ ର ସୁଅ ! ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କାହାକୁ ବା ତର ଥାଏ ! ଘଣ୍ଟା କଣ୍ଟା ମିନିଟ୍ କଣ୍ଟାର ଅପୂର୍ବ ମିଳନକୁ ଚାହିଁ ବସିଥାନ୍ତି ତା’ର ସଂପର୍କୀୟମାନେ । ସମସ୍ତଙ୍କଠୁ ଅଧିକ ଉଚ୍ଚାଟିତ ଥାଏ ଅନିରୁଦ୍ଧ । ସେଇ ରାତିରେ ହିଁ ତା’ ତରଫରୁ କେକ୍, ଫୁଲତୋଡା, ଚକଲେଟ୍ ସହିତ ନାଲି କାଗଜରେ ଗୁଡା ସୁନ୍ଦର ଉପହାର ଅନ୍ ଲାଇନ୍ ରେ ଅର୍ଡର୍ ହୋଇ ତା’ ପାଖରେ ଆସି ପହଞ୍ଚିଯାଏ । ଉପହାର ପାଇଁ ଯେତେ ନୁହେଁ, ତା’ ଭିତରେ ରହିଥିବା ତା’ ମନର ଭାବନାକୁ ପଢିବା ପାଇଁ ସେତେ ବ୍ୟାକୁଳ ହୋଇ ସାରା ଦିନ ଅପେକ୍ଷା କରିଥାଏ ମାୟା । ପ୍ରତି ବର୍ଷ ତା’ ଜନ୍ମଦିନକୁ ଏକଦମ୍ ନିଆରା ଢଙ୍ଗରେ ପାଳନ କରିବା ଅନିରୁଦ୍ଧର ଏକ ବିଶେଷ ଗୁଣ । ଆଉ ଏଇ ଗୁଣର ସେ ଥିଲା ଖୁବ୍ ଅଧିକ ପ୍ରଶଂସକ !

କେତେ ସୁନ୍ଦର ଭାବରେ ଲେଖିପାରେ ଅନିରୁଦ୍ଧ ସତରେ ! ଭାବନାକୁ ରୂପ ଦେବାର କଳା ତାକୁ ବେଶ୍ ଜଣା ! ପ୍ରତିଟି ଧାଡିରେ ଚହଲିଉଠେ ମନ । ପଢୁ ପଢୁ ହସ ଖେଳେଇଯାଏ ଓଠରେ, ଆଖିରେ କିନ୍ତୁ ଜକେଇ ଆସେ ଲୁହ !

ଏତେ ଭଲ ପାଇବା ..! ଏତେ ସ୍ନେହ ..! ସତରେ ତା’ଠୁ ବଳି ଭାଗ୍ୟବତୀ ଏ ସଂସାରରେ କେହି ନାହାନ୍ତି ! ଅନିରୁଦ୍ଧ ପରି ସ୍ମାର୍ଟ, ଇଣ୍ଟେଲିଜେଣ୍ଟ୍ ଆକର୍ଷକ ବ୍ୟକ୍ତିତ୍ବଟିଏ ସହିତ ତା’ର ମଧୁର ସଂପର୍କକୁ ନେଇ ଗର୍ବ କରିବାକୁ ଭାରି ଇଚ୍ଛା ହୁଏ । ଚିଲ୍ଲେଇ ଚିଲ୍ଲେଇ ସାରା ଦୁନିଆ ଆଗରେ କହିଦେବାକୁ ମନ ଉଚ୍ଚାଟ ହୁଏ । କିନ୍ତୁ କରିପାରେନି । ପାପା ମାମା ବରଦାସ୍ତ କରିପାରିବେନି ତା’ର ଏ ଦୁଃସାହାସକୁ । ତା’ ପାଇଁ ସୁଯୋଗ୍ୟ ବରପାତ୍ର ଯୋଗାଡ କରିବାକୁ ସେମାନେ ରାତିଦିନ ଲାଗି ପଡିଛନ୍ତି । କେବେ କାହା ସହିତ ଭଲକି କଥା ହେଉନଥିବା ଆଇ.ଏ.ଏସ୍ ପାପା ମାମା ତା’ର, ଏବେ ଛୋଟବଡ ସମସ୍ତଙ୍କ ସହିତ ହସି ହସି ମିଳାମିଶା କରୁଛନ୍ତି ଏଇ ଆଶାରେ ଯେ କାଳେ ସେମାନଙ୍କ ନଜରରେ ତାଙ୍କ ଏକମାତ୍ର ଗୁଣବତୀ, ରୂପବତୀ ଝିଅ ଉପଯୋଗୀ ବରପାତ୍ରଟିଏ କୋଉଠି ରହିଯାଇଥିବ ! ପାଠଶାଠ, ଘର ପରିବାର, ଚାକିରି, କୋଉଥିରେ ସାମାନ୍ୟ ଉଣା ରହିଥିଲେ ବି ମୁହଁ ମୋଡି ଦେଉଥିଲା ମାମା । ନିଜ ପରଫେକ୍ଟ୍ ଝିଅ ପାଇଁ ଏକଦମ୍ ସୁପର୍ ପରଫେକ୍ଟ ପୁଅ ଖୋଜୁଥିଲେ ପାପା । ଯାହା ତାଙ୍କୁ ଦିନେ ନା ଦିନେ ନିଶ୍ଚୟ ମିଳିବ ବୋଲି ଦୃଢ ବିଶ୍ୱାସ ବି ରଖିଥିଲେ ।

ପାପାଙ୍କ ମାପଦଣ୍ଡରେ ଅନିରୁଦ୍ଧ କିଛି ମାତ୍ରାରେ ପାସ୍ କରି ପାରୁଥିଲେ ବି ଅନ୍ୟ ବହୁତ କଥାରେ ଫେଲ୍ ହେଇଯାଉଥିଲା । ସେସବୁ କଥାରେ ପାସ୍ କରିବାଟା ମାୟା ପାଇଁ ଜରୁରୀ ନଥିଲେ ବି ପାପା ମାମାଙ୍କ ପାଇଁ ଥିଲା ଅତି ଆବଶ୍ୟକ, ଯାହାର ଅଭାବରେ ଝିଅକୁ ବାହା କରିବା କଥା ସେମାନେ ଚିନ୍ତା ବି କରନ୍ତିନି । ସେଇଥିପାଇଁ ଆଜି ପର୍ଯ୍ୟନ୍ତ ଭୟରେ ଅନିରୁଦ୍ଧ କଥା ଘରେ ସେ କହିନି । ଯୋଉ ଦିଗକୁ ପାପା ଅଧିକ ଜୋର୍ ଦେଉଛନ୍ତି, ସେ ଦିଗ କଥା ଅନିରୁଦ୍ଧକୁ ଭଲ ପାଇବା ପରେ ଯାଇଁ ସେ ଜାଣିଲା, ତାହା ବି ଏତେ ବିଳମ୍ୱରେ ଯେ ଆଉ ପଛକୁ ଫେରିଯିବା ସମ୍ଭବ ନଥିଲା । ଅବଶ୍ୟ ସାଙ୍ଗସାଥୀଙ୍କ ସାଥେ ସାଥେ ନିଜେ ଅନିରୁଦ୍ଧ ବି ତାକୁ ବୁଝେଇଥିଲେ ଯେ ମନ ଆଉ ହୃଦୟର ଏ ମିଳନକୁ ସାମାଜିକ ସ୍ୱୀକୃତି ମିଳିବା ଅସମ୍ଭବ । ଜାତିଆଣର ପ୍ରାଚୀର ଉଠିଯିବା କଥା ଏବେ ବି କାଗଜ କଲମର ବିଷୟ ହୋଇ ରହିଛି । ସମାଜିକ ସ୍ତରରେ ସମସ୍ତେ ସ୍ବୀକାର କରିନେବାକୁ କେଜାଣି ଆହୁରି କେତେ ଯୁଗ ଲାଗିଯାଇ ପାରେ !

ତଥାପି ମାୟା ନିଜକୁ ରୋକି ପାରେନାହିଁ । ଅନିରୁଦ୍ଧକୁ ଭଲପାଇ ସେ କିଛି ଭୁଲ୍ କରିଥିବା କଥା ଭାବେନାହିଁ । ତେଣୁ ଭବିଷ୍ୟତରେ ଆସିବାକୁ ଥିବା ବାଧାବିଘ୍ନକୁ ଡରି ଅନିରୁଦ୍ଧକୁ ଛାଡିଦେବା ବଦଳରେ ସେ ଆହୁରି ଅଧିକ ସ୍ବଚ୍ଛନ୍ଦ ହୋଇପଡେ । ତା’ ସହିତ କ୍ଲବ୍, ପାର୍ଟି, ମଲ୍, ସିନେମା, ସବୁଆଡେ ଯାଏ । ଲଙ୍ଗ୍ ଡ୍ରାଇଭ୍ ରେ ଯାଇ ହୋଟେଲ୍ ରେ ରାତ୍ରି ଯାପନ କରେ । ସେଇଟା ଅଲଗା କଥା ଯେ ତା’ର କୌଣସି ବାହାନାକୁ ପାପା ମାମା କେବେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ନାହିଁ । ବରଂ ଏଇ ତ ବୟସ, ଏବେ ଯଦି ସାଙ୍ଗସାଥୀଙ୍କ ସହିତ ଟିକିଏ ମଉଜମସ୍ତି କରିବନି, ତେବେ ଆଉ କେବେ କରିବ, କହି ତା’ ବ୍ୟାଗ୍ ସଜାଡି ଦିଅନ୍ତି । ସେମାନଙ୍କ ବିଶ୍ବାସ ମାୟା ବେକରେ ବୋଝଟିଏ ହେଇ ଝୁଲି ପଡିଲେ ବି ଅନିରୁଦ୍ଧର ଭଲ ପାଇବା ଆଗରେ ସେ ବୋଝ ତାକୁ ନିହାତି ହାଲୁକା ଲାଗେ । ସମୁଦ୍ର କୂଳରେ ତା’ ସହିତ ହାତ ଧରାଧରି ହେଇ ବୁଲିଲା ବେଳେ ତା’ର ଜମାରୁ ମନେ ପଡେନାହିଁ ପାପା ମାମାଙ୍କ ମୁହଁ ! ବାଲିଘରର କାନ୍ଥବାଡରେ ଫୁଲପତ୍ର ସଜାଡିଲା ବେଳେ ହୃଦବୋଧ ହୁଏନାହିଁ, ଏମିତି ପିଲାଖେଳ ଖେଳିବାର ବୟସ କେବେଠୁ ପାର୍ କରିସାରିଲାଣି ସେ ।

ବରଂ ଆହୁରି ଅଧିକ ଅଧିକ ଇଚ୍ଛା ହୁଏ ପୂରା ଜୀବନଟା ତା’ର ଏମିତି ଏକ ସ୍ୱପ୍ନିଳ ପରିବେଶ ଭିତରେ ବୁଡି ରହିଥାଉ । ଅନିରୁଦ୍ଧର ହାତ ଧରି ଧରି ସବୁ ଲହଡିକୁ ସେ ଭାଙ୍ଗିବା ଶିଖୁଥାଉ ! ତା’ ଆଖିରେ ଭରି ରହିଥିବା ସ୍ୱପ୍ନ ବାସ୍ତବତାର ଜାମା ପିନ୍ଧି ତା’ ଜୀବନକୁ ରଙ୍ଗୀନ କରିଦଉ ।

କିନ୍ତୁ ହେଲା କ’ଣ ? ତା’ ଭାବନାର ଏକଦମ୍ ବିପରୀତ ହି ! ଯାହାର ଆଶଙ୍କା ଅନିରୁଦ୍ଧ ଆଉ ତା’ ସାଙ୍ଗମାନେ ପ୍ରଥମରୁ କରି ଚାଲିଥିଲେ, ଏକଦମ୍ ସେହିପରି ତ ଘଟିଗଲା ସବୁକିଛି ନିମିଷକରେ ! ସ୍ୱପ୍ନର ଅଞ୍ଜନ ଆଖିରୁ ପୋଛିଦେଇ ବାସ୍ତବତା ଚାରିବାହୁ ମେଲେଇ ଅଣନିଶ୍ୱାସୀ କରି ପକେଇଲା ପୂରା ଜୀବନକୁ । ଯାହାକୁ ନେଇ ଏପର୍ଯ୍ୟନ୍ତ ତା’ ମନରେ ହଜାରେ କଦମ୍ୱ ଫୁଟୁଥିଲା, ଏବେ ତା’ ନାଁ ଧରିବାକୁ ବି ସାହାସ ହେଲାନାହିଁ !

ମାମାର ପସନ୍ଦ ମୁତାବକ ପୁଅ ସହିତ ବାଧ୍ୟତାରେ ପଡି କଥାବାର୍ତ୍ତା କଲା ବେଳେ ସେ ନିଜ ଭିତରେ ସାହାସ ସଞ୍ଚୟ କରୁଥିଲା ଅନିରୁଦ୍ଧ ସହିତ ରହିଥିବା ତା’ର ସଂପର୍କକୁ ଜଣେଇ ଦେବାକୁ । ହେଲେ ପାରିଲାନି । ଏକଦମ୍ ସାଧାସିଧା ଅଜିତେଶଙ୍କୁ ଦେଖି ତାକୁ ଭାରି ଦୟା ଲାଗିଲା । ଏମିତି କେମିତି କାହାକୁ କହିଦେବ ଯେ ସେ ତାକୁ ନୁହେଁ, ଆଉ କାହାକୁ ବାହା ହେବାକୁ ଚାହୁଁଛି ! ପାପା ମାମାଙ୍କ ଜବରଦସ୍ତିକୁ ଏଡି ପାରିଲା ନାହିଁ ବୋଲି ତାକୁ ଖାଲି ଭେଟିବାକୁ ଆସିଛି ! ଅଜିତେଶଙ୍କ ଆଖିରେ ଏକ କୈଶୋରୀୟ ନିରିହତା ଢଳ ଢଳ ହେଉଥିଲା । ସେ ନିରିହତା ଆଗରେ ଅନିରୁଦ୍ଧର ପ୍ରେମ କବିତା ବି ଅସ୍ପଷ୍ଟ ଶୁଭୁଥିଲା । ଫେରି ଆସିଥିଲା ସେ ନିରବ ଶ୍ରୋତାଟିଏ ସାଜି ଅଜିତେଶଙ୍କ ସବୁ ପ୍ରଶ୍ନର ଉତ୍ତରକୁ ଅନ୍ୟ ଏକ ପ୍ରଶ୍ନରେ ରଖଦେଇ !

ଅଜିତେଶଙ୍କୁ ମନା କରିଦେଲେ ପାପା ମାମା କାରଣ ପଚାରିବେ ନାହିଁ, ବରଂ ଆଉ ଏକ ହାଇ ଗ୍ରେଡ୍ ର ଅଜିତେଶ ଖୋଜି ଆଣିବେ । ବରଂ ତା’ଠୁ ଭଲ ସେ ସିଧା ସଳଖ ଏ ବିଷୟରେ ସ୍ପଷ୍ଟ ଶବ୍ଦରେ ସେମାନଙ୍କ ସହିତ କଥା ହେଇକି ଦେଖିବ । ଯଦି ନାହିଁ କରିବେ, ତେବେ ସେ ବିଦ୍ରୋହ କରିବ । କିନ୍ତୁ ଅନିରୁଦ୍ଧଙ୍କ ଛଡା ଆଉ କାହାକୁ ବି ବାହା ହେବନାହିଁ ।

କିନ୍ତୁ ତା’ର ସବୁ ଦୃଢତା ଭାଙ୍ଗି ପଡିବାକୁ ଗୋଟିଏ ମୁହୂର୍ତ୍ତ ବି ଲାଗିଲାନି ! କଥାଟା ଶୁଣୁ ଶୁଣୁ ହି ମାମା ମୁହଁର ରଙ୍ଗ ବଦଳିଗଲା । ଛାତିର ଯନ୍ତ୍ରଣା ବଢିଗଲା । ତାଙ୍କ ଦୃଷ୍ଟି ଆଢୁଆଳରେ ତାଙ୍କ ଅଲିଅଳୀ ଝିଅ ଏତେ ବଡ ନିର୍ଣ୍ଣୟ ନେବ .. ତାଙ୍କ ମାନସମ୍ମାନକୁ ଠୋକର ମାରି ଗୋଟିଏ ନୀଚ୍ଚ ଜାତିର ପିଲାକୁ ଭଲପାଇ ବାହା ହେବାକୁ ଜିଦି କରିବ, ସେ ତ କେବେ ସ୍ୱପ୍ନରେ ବି ଭାବି ନାହାନ୍ତି .. ସହି ପାରିଥାନ୍ତେ ବା କେମିତି !

ଝିଅର ନିର୍ଲଜ ସ୍ବୀକାରୋକ୍ତି ସହିତ ପାଣ୍ଡୁର ପଡି ଆସୁଥିବା ପତ୍ନୀର ମୁହଁ ଆଡକୁ ପାପା ଏମିତି ଚାହିଁ ରହିଥିଲେ, ସତେ ଯେମିତି ଆଖି ଆଗରେ ଯାହା କିଛି ଘଟୁଛି, ସେସବୁରେ ତାଙ୍କର କିଛି ଲେନା ଦେନା ନାହିଁ । ସେ ଯେମିତି କିଛି ଶୁଣି ପାରୁନାହାନ୍ତି କି ଦେଖି ପାରୁନାହାନ୍ତି ! ଯେମିତି ପଥର ପାଲଟି ଯାଇଛନ୍ତି ! ସେତେବେଳେ ଯାଇ ହୋସ୍ କୁ ଆସିଲେ, ଯେତେବେଳେ ମାୟା ଚିତ୍କାର କରି ଆମ୍ୱୁଲାନସ ଡାକିବାକୁ ତାଙ୍କୁ କହିଲା !

ତତକ୍ଷଣାତ୍ ହସପିଟାଲ୍ ନେଇ ଚିକିତ୍ସା ଆରମ୍ଭ ହେଇଗଲା ବୋଲି ମାମା ବଞ୍ଚି ତ ଗଲା, ହେଲେ ଅଧା ଶରୀର ପାରାଲିସିସ୍ ହେଇଗଲା ତା’ର । ସ୍ତବ୍ଧ ହୋଇଗଲେ ପାପା । ଏକଦମ୍ ନିର୍ଜୀବ ଲାଗିଲେ । ବିନା ଶବ୍ଦଟିଏ ଉଚ୍ଚାରଣ କରି ବି ଯେମିତି ସବୁ କହି ଦେଉଥିଲେ !

ମାମାଙ୍କ ଅବସ୍ଥା ପାଇଁ ପୂର୍ଣ୍ଣ ମାତ୍ରାରେ କେବଳ ଯେ ମାୟା ଦାୟୀ, ସେକଥା ଭାବି ଉଦାସ ହେଇଗଲା ମାୟା । ମନେ ମନେ ଶପଥ ନେଲା ପାପା ମାମାଙ୍କ ଖୁସି ପାଇଁ ଅନିରୁଦ୍ଧକୁ ସେ ଭୁଲିଯିବ । ଯୋଉମାନେ ତାକୁ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ କରିବାର ସୁଯୋଗ କେବେ ଦେଇନାହାନ୍ତି, ସେ କାହିଁକି ଆଜି ସେପରି ସୁଯୋଗଟିଏ ଦେବ, ତା’ ବି ମାମାଙ୍କ ଜୀବନ ବିନିମୟରେ ! ଅନିରୁଦ୍ଧକୁ ଭୁଲିଗଲେ ମାମା ପାପାଙ୍କ ମୁହଁରେ ଯଦି ହସ ଫୁଟିବ, ତେବେ ଝିଅ ହିସାବରେ ସେତିକି ନିଶ୍ଚୟ କରିବ ସେ ।

ପାପାଙ୍କ ପାଣ୍ଡୁର ପଡିଯାଇଥିବା ମୁହଁ, ଆଉ ମାମାଙ୍କ ଅଚଳାବସ୍ଥା ତାକୁ ଖୁବ୍ ବ୍ୟଥିତ କରୁଥିଲା । ଗୋଟାଏ ଦୋଷୀ ଭାବ ନେଇ ସେଘରେ ଚଳପ୍ରଚଳ କରୁଥିଲା ସେ । କିଛି ଗୋଟେ କହିବା ପାଇଁ ମାମା ବାରମ୍ୱାର ଚେଷ୍ଟା କରୁଥଲା, କିନ୍ତୁ ଶବ୍ଦ ସବୁ ପବନ ହୋଇ ବାହାରି ଆସୁଥଲା ଖାଲି । ଦୀର୍ଘନିଶ୍ୱାସ ମାରୁଥିଲେ ପାପା । ଉଦାସ ଆଖିରେ କ୍ୟାଲେଣ୍ଡର ଆଉ ଘଣ୍ଟା ଆଡକୁ ଅହର୍ନିଶି ଏପରି ଚାହିଁ ରହୁଥିଲେ, ସତେ ଯେମିତି ସମୟର ମନ୍ଥର ଗତିକୁ ମନେ ମନେ ଅଭିଶାପ ଦେଉଛନ୍ତି ।

ଏପରି ବାତାବରଣ ଭିତରେ ଅନିରୁଦ୍ଧକୁ ଭଲ ପାଇବାର ସାହାସ ଆଉ କରିପାରିଲାନି ମାୟା । ଏ ପରିସ୍ଥିତିରୁ ବାହାରି ଯିବାକୁ ବାଟ ଖୋଜିଲା, କିନ୍ତୁ ସବୁ ବାଟ ଅନିରୁଦ୍ଧଠୁ ତାକୁ ଦୂରକୁ ନେଇଯିବାଟା ଦେଖେଇଲା । ଶେଷରେ ଦୃଢ ନିଷ୍ପତ୍ତି ନେଇଗଲା, କେବଳ ନିଜକୁ ନୁହେଁ, ପୂରା ପରିବାରକୁ ଏମିତି ଏକ ରୁଦ୍ଧ ବାତାବରଣରୁ ବଞ୍ଚେଇବାକୁ ହେଲେ ତାକୁ ଅଜିତେଶଙ୍କୁ ବାହା ହେବାର ସମ୍ମତି ଦେବାକୁ ପଡିବ ।

ଅଜିତେଶ ପତି ହିସାବରେ ଅନିରୁଦ୍ଧଠୁ ଭଲ ଥିଲେ କି ମନ୍ଦ, ସେକଥା ଚିନ୍ତା କରିବାକୁ ସମୟ ପାଇଲା ନାହିଁ ମାୟା । ମାମାଙ୍କ ଦେହ ଖରାପ, ପାପାଙ୍କ ଉଦାସିନତା ଭିତରେ ଜୀବନର ସବୁଠାରୁ ସୁଖଦ ମୁହୂର୍ତ୍ତକୁ ଯେମିତି ସେମିତି କରି ଗ୍ରହଣ କରିନେଲା । ଅଜିତେଶଙ୍କୁ କୌଣସି ପ୍ରକାରର ଅଭିଯୋଗ କରିବାର ସୁଯୋଗ ନଦେଇ ସୁଖୀ ହେବାର ଅଭିନୟ କରିଚାଲିଲା । ସେ ବି ତାକୁ କେବେ କୌଣସି ବିଷୟରେ ପ୍ରଶ୍ନ କରିଲେ ନାହିଁ । ‘ସବୁ ଭଲ ଚାଲିଛି’ ର ଭାବ ନେଇ ସଂସାରର ପିଚ୍ଛିଳ ପଥରେ ପାଦ ଥାପି ଥାପି ଆଗେଇବାକୁ ଲାଗିଲା । ହେଲେ ଅନିରୁଦ୍ଧ ତା’ ଜୀବନରୁ ବାହାରୁ ହି ନଥିଲା । ଯେବେ କେବେ ଅଜିତେଶଙ୍କୁ ସିଧା ସଳଖ ସେ ଚାହେଁ, ସେଠି ଅନିରୁଦ୍ଧ ହି ତାକୁ ଦିଶେ । କୋଉ କଥା ପାଇଁ ଖୁସି ହେବାକୁ ଚାହିଁଲେ, ଆଖପାଖରେ ଅନିରୁଦ୍ଧ ଥିବାର ଅନୁଭବ ତା’ର ହୁଏ । କାନ୍ଦିଲା ବେଳେ ଅନିରୁଦ୍ଧର କାନ୍ଧରେ ମୁଣ୍ଡ ଥୋଇବାର ଅନୁଭବ ହୁଏ । ନିଶ୍ୱାସର ପ୍ରତିଟି କଣିକାରେ ଅନିରୁଦ୍ଧ ବସିଥିବା ବେଳେ ଅଜିତେଶ ପାଇଁ ଚାହିଁକି ବି ଜାଗା ବାହାର କରିପାରେନି ! ଇଚ୍ଛା ହେଲେ ବି ଭଲପାଇ ପାରେନି ! କିନ୍ତୁ ସୁଖୀ ହେବାର ଅଭିନୟ ବେଶ୍ କରେ । ଦୁଃଖ ସବୁକୁ ଠେଲିପେଲି ବାହାର କରି ସୁଖକୁ ଜବରଦସ୍ତି ବାନ୍ଧିରଖେ ।

ମାତ୍ର ଆଜି ସକାଳୁ ମନର ଉଦାସ ପଣକୁ ଚାହିଁକି ବି ଦୂରେଇ ପାରିଲାନି । ଜୀବନରେ କେବେ ଆଉ ଅତୀତକୁ ମନେ ପକେଇ ଲୁହ ଢାଳିବନି ର ଶପଥ ତା’ର ଓଦା କାନ୍ଥ ପରି ଧସେଇ ପଡିଲା । ଯୋଉ ଦିନଟି ତା’ ସାଥେ ସାଥେ ଅନ୍ୟ ସମସ୍ତଙ୍କ ପାଇଁ ସବୁଠାରୁ ଖୁସିର ଦିନ ଥିଲା ଆଜି ଯାଏଁ, ଅଜିତେଶ ସେଦିନକୁ ଅନ୍ୟ ସବୁ ସାଧାରଣ ଦିନ ପରି ବିତେଇ ନିଘୋଡ ନିଦରେ ଶୋଇ ପଡିଛନ୍ତି । ଘଣ୍ଟା କଣ୍ଟା ଆଉ ମିନିଟ୍ କଣ୍ଟାର ମିଳନକୁ ଆଗ୍ରହରେ ଅନେଇ ବସିଥିବା ଲୋକମାନେ ତା’ ଜୀବନରୁ ଗୋଟି ଗୋଟି କରି ବିଦାୟ ନେଇଯାଇଛନ୍ତି । ଯୋଉମାନଙ୍କର ମନେଥିବ, ସେମାନେ ଆଉ ସାହାସ କରିବେନି ଶୁଭେଚ୍ଛାର ବାର୍ତ୍ତା ପ୍ରେରଣ କରିବାକୁ । ଜୀବନଟା ଅକସ୍ମାତ୍ ଏମିତି ଏକ ବୋଝିଲା ବାତାବରଣ ଭିତରକୁ ଠେଲି ହେଇ ପଶିଯାଇଛି ଯେ ଯେତେ ହାତଗୋଡ ପିଟିଲେ ବି ସେଥିରୁ ବାହାରି ପାରିବା ସମ୍ଭବ ହେଉନି, କି ତାକୁ ସାଙ୍ଗରେ ନେଇ ଆଗେଇ ଯିବାକୁ ଆଗ୍ରହ ଆସୁନି । ଅନିରୁଦ୍ଧ ଏବେ ବି ଅଦୂରରୁ ହାତ ଠାରି ଡାକୁଛନ୍ତି ବାରମ୍ୱାର । ଯେତେ କାନ ବନ୍ଦ କଲେ ବି ସେ ଡାକକୁ ସେ ଶୁଣିପାରୁଛି !

“ଗୁଡ୍ ମର୍ଣ୍ଣିଙ୍ଗ୍ ମାୟା .. ଜନ୍ମଦିନର ଶୁଭେଚ୍ଛା । ଭଗବାନ ତମକୁ ସବୁ ପ୍ରକାରର ଖୁସିରେ ସବୁଦିନ ବୁଡେଇ ରଖନ୍ତୁ ।“ କାହାର ଅତି ଆପଣାର ଆଉ ମଧୁର ସ୍ୱରରେ ନିଦ ଭାଙ୍ଗିଗଲା ତା’ର । ଆଖି ଖୋଲି ଆଶ୍ଚର୍ଯ୍ୟରେ ଚାହିଁଲା ସେ ଚତୁର୍ଦ୍ଦିଗକୁ । ନା, ଏ ସମ୍ଭାଷଣ ଅନିରୁଦ୍ଧର ନୁହେଁ, ବରଂ ତା’ର ସ୍ୱାମୀ ଅଜିତେଶଙ୍କର । ହାତରେ ଗରମ ଚା କପ୍ ସହିତ ବଗିଚାର ସଦ୍ୟ ପ୍ରଷ୍ଫୁଟିତ ଗୋଲାପ କଢଟିଏ । କେମିତି ଏକ ନିର୍ଭେଜାଲ ଦୃଷ୍ଟିରେ ତା’ ଆଡକୁ ଚାହିଁ ଖୁସି ହେଉଛନ୍ତି ।

ଚମକ ଖେଳିଗଲା ତା’ ଛାତିରେ ଯେତେବେଳେ କୁନି କେକ୍ ଟିଏ ତା’ ସାମନାରେ ଥୋଇ ଛୁରି ବଢେଇଦେଲେ ଅଜିତେଶ ତା’ ହାତକୁ । ଧଡପଡ ହୋଇ ଉଠି ବସିଲା ସେ ଶେଯରେ ! ଆଶ୍ଚର୍ଯ୍ୟରେ ଘଡିଏ ଚାହିଁ ରହିଲା ତାଙ୍କୁ ।

“ବିବାହ ପରର ତୁମ ପ୍ରଥମ ଜନ୍ମଦିନକୁ ଆମେ ଏକାଠି ପାଳନ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ବଡ ଭାଗ୍ୟବାନ୍ ମନେ କରୁଛି ମାୟା ! ଅନ୍ୟମାନଙ୍କ ପରି ମୁଁ ଏତେଟା ପ୍ରଗଳ୍ଭ ନୁହେଁ । ନିଜ ଭିତରର ଭାବପ୍ରବଣତାକୁ ଠିକ୍ ରେ ପ୍ରକାଶିତ କରିପାରେନା । ତଥାପି ସବୁବେଳେ ଚେଷ୍ଟା କରେ ସମସ୍ତଙ୍କୁ ଭଲ ପାଇବାକୁ । ହେଲେ ତୁମକୁ ଦେଖିଲା ପରଠୁ, ଆମ ବିବାହ ହେଲା ପରଠୁ, ସତ କହିବି, ମୁଁ ଆଉ କାହାକୁ ବି ଭଲ ପାଇପାରୁନି ତୁମ ଛଡା ! ମୁଁ ଜାଣିଛି, ତମକୁ ମୋ କଥା ମିଛ ଲାଗବ .. ହସି ବି ପାର, ତେବେ ସେଥିକୁ ମୁଁ ଦୁଃଖ କରିବି ନାହିଁ । ବରଂ ମୋର ଏ କଥାରେ ତୁମ ମୁହଁରେ ଯଦି ଟିକିଏ ବି ହୃଦୟ ଖୋଲା ହସ ଖେଳିଯିବ, ତାହା ହିଁ ହେବ ମୋ ଜୀବନର ସବୁଠାରୁ ବଡ ଖୁସିର ମୁହୂର୍ତ୍ତ । ସେଇ ମୁହୂର୍ତ୍ତଟି ପାଇଁ ବର୍ଷ ବର୍ଷ ଅପେକ୍ଷା କରିଲେ ବି ମୁଁ ଥକିଯିବି ନାହିଁ ! ବିରକ୍ତ ହେବିନାହିଁ । କିନ୍ତୁ ସେଇ ମୁହୂର୍ତ୍ତର ବିନିମୟରେ ତୁମେ କେବେ ମତେ ତୁମ ଜୀବନରୁ ବାହାରି ଯିବାର ଅନୁରୋଧ କରିବ ନାହିଁ ତ ? ସତ କହୁଛି, ତୁମକୁ ଭଲପାଇବା ଛଡା ଏ ଜୀବନରେ ଆଉ କିଛି ବି ଭଲ ଭାବରେ ଶିଖିପାରିଲି ନାହିଁ । ନା କଥା କହିବାର ଶୈଳୀ ଜାଣିଛି, ନା ଆକର୍ଷିତ କରିପାରିବାର କ୍ଷମତା ଅଛି ! ଖାଲି ଜାଣିଛି ତ, ତୁମକୁ ନିବିଡ ଭାବରେ ଭଲ ପାଇବା …“

ଥପ୍ ଥପ୍ ଦୁଇ ଟୋପା ଲୁହ ଛୁରି ଉପର ଦେଇ ମାୟାର ହାତକୁ ଗଡିଆସିଲା । ନିର୍ବୋଧଙ୍କ ପରି ସେ କେବଳ ଅଜିତେଶଙ୍କ ମୁହଁକୁ ଚାହିଁ ରହିଥିଲା । ତା’ ପାଟିରୁ ପଦେ ବି କଥା ସ୍ଫୁରୁନଥିଲା । ହଁ, ଏକଥା ବି ସତ ଯେ, ଆଜି ଏତେ ଦିନ ପରେ ସେ ଅଜିତେଶଙ୍କ ମୁହଁରେ କେବଳ ଅଜିତେଶଙ୍କୁ ହିଁ ଦେଖି ପାରୁଥିଲା, ଆଉ ସାରା ଜୀବନ ଦେଖିବାକୁ ଚାହୁଁଥିଲା ! ଏ ବର୍ଷର ଜନ୍ମଦିନ ପାଳନ ତା’ ପାଇଁ ବୋଧେ ସବୁ ବର୍ଷଠୁ ଅଧିକ ନିଆରା ଥିଲା !…

Leave A Reply

Your email address will not be published.