Latest Odisha News

BREAKING NEWS

ଓଡ଼ିଶାରେ ପୁଣି ଥରେ ଆୟୋଜିତ ହେବ ‘ବିଶ୍ୱକପ ହକି’ !

ଭୁବନେଶ୍ୱର: ଓଡ଼ିଶା ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିବା ପରେ ଏବେ ପୁଣିଥରେ ରାଜ୍ୟକୁ ହକି ବିଶ୍ୱକପ ଆୟୋଜନ କରିବାର ସୁଯୋଗ ମିଳିଛି ।

ଆଗାମୀ ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟଓଡ଼ିଶାରେ ହେବ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି ।

ଆଜି ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ପୁଣି ଥରେ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ହେବା ନେଇ ବଡ଼ ଘୋଷଣା କରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ତଥା ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗରେ ୨୦୧୮ ବିଶ୍ୱକପ ହକି କଳିଙ୍ଗ ଷ୍ଟାଡ଼ିୟମରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ ହକି ସଫଳତାର ସହିତ ଅନୁଷ୍ଠିତ ହେବାପରେ ବିଶ୍ୱର ସମସ୍ତ ହକି ଖେଳୁଥିବା ଦେଶ ଏହି ସଫଳ ଆୟୋଜନକୁ ଭୁରିଭୁରି ପ୍ରଶଂସା କରିଥିଲେ । ଏହି ସଫଳ ହକି ମହାକୁମ୍ଭ ଆୟୋଜନକୁ ନେଇ ସମଗ୍ର ଭାରତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାର ସୂଅ ଛୁଟିଥିଲା ।

ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରି କହିଥିଲେ ଯେ, ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ରାଉରକେଲା ଏବଂ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । ଏହାପରେ ଉପସ୍ଥିତ ସମସ୍ତ କ୍ରୀଡ଼ାପ୍ରେମୀମାନଙ୍କୁ ସେ କହିଥିଲେ “ଆପଣମାନେ ଖୁସି ତ ! ମୁଁ ବି ବହୁତ ଖୁସି” ।

ଏଠାରେ ସୂଚନାଯୋଗ୍ୟ, ଆସନ୍ତା ବିଶ୍ୱକପ ହକି ଆୟୋଜନ କରିବା ଲାଗି ମାଲେସିଆ, ବେଲଜିୟମ ଏବଂ ଭାରତ ଦୌଡ଼ରେ ରହିଥିଲେ । ତେବେ ବିଡରେ ଭାରତ ପୁଣିଥରେ ହକି ବିଶ୍ୱକପ ଆୟୋଜନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଖାଲି ସେତିକିନୁହେଁ, ଭାରତ ମଧ୍ୟ ଓଡ଼ିଶାକୁ ଏହି ବିଶ୍ୱକପର ଭେନ୍ୟୁ ଭାବେ ନିଷ୍ପତ୍ତି ଗ୍ରହଣ କରିଛି । ଓଡ଼ିଶା ସରକାରଙ୍କ ସହିତ ମିଳିତ ସହଯୋଗରେ ୨୦୨୩ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ।

ଏହି ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

୨୦୨୩ ବିଶ୍ୱକପକୁ ଲଗାଇ ଭାରତ ୪ର୍ଥ ଥର ଲାଗି ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି । ଭାରତ ପୂର୍ବରୁ ୧୯୮୨, ୨୦୧୦ ଏବଂ ୨୦୧୮ ମସିହାରେ ବିଶ୍ୱକପ ହକି ଆୟୋଜନ କରିଥିଲା । ଓଡ଼ିଶାକୁ ‘ସ୍ପୋର୍ଟସ କ୍ୟାପିଟାଲ୍ ଅଫ ଦି କଣ୍ଟ୍ରି’ କୁହାଯାଉଥିବା ଓଡ଼ିଶାରେ ୨ୟଥର ଲାଗି ହକି ମହାକୁମ୍ଭ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।

ରାଉରକେଲାର ପାନପୋଷ ହକି ହଷ୍ଟେଲ ଦେଶର ହକି ଉତ୍ସକେନ୍ଦ୍ର ଭାବେ ପରିଗଣିତ ହୋଇଥାଏ । ଏହି ମେଗା ସ୍ପୋର୍ଟସ ଇଭେଣ୍ଟରାଉରକେଲାରେ ଅନୁଷ୍ଠିତ ହେବା ପ୍ରକୃତରେ ରାଉରକେଲାର ହକିକୁ ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ରାଉରକେଲାରେ ବିଶ୍ୱକପ ହକି ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରସ୍ତାବ ଦେଇଥିଲେ । ଏହାଫଳରେ ବିଶ୍ୱ ହକି ମାନଚିତ୍ରରେ ସୁନ୍ଦରଗଡ଼ ସ୍ଥାନ ପାଇପାରିବ ।

Leave A Reply

Your email address will not be published.