ଶୀଘ୍ର ପଦକ୍ଷେପ ନିଅ

ପ୍ରତି ବୁଧବାର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକିସ

ଚଳିତ ବିଧାନସଭାରେ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲାର ପରିସଂଖ୍ୟାନ ରାଜ୍ୟରେ ମହିଳାଙ୍କ ପ୍ରତି ସମ୍ମାନ ବିଶେଷ କରି କୁନି କୁନି ଝିଅ ପିଲାଙ୍କ ନିରାପତ୍ତା ପ୍ରତି ଗୁରୁତ୍ୱପୂର୍ଣ୍ଣ ଉଠାଇଛି । କେଉଁ ଅବସ୍ଥାରେ, କେଉଁ ପରିସ୍ଥିତିରେ ଆଉ କେମିତି ସେମିତି ନିର୍ଯାତିତ ହେଉଛନ୍ତି, ତାହାର ଏକ ବେଶ ଭୟଙ୍କର ଚିତ୍ର ସ୍ପଷ୍ଟ ଭାବେ ଛିଡ଼ା ହୋଇଛି ।

ରାଜ୍ୟରେ ଜାନୁଆରୀରୁ ଜୁନ ମଧ୍ୟରେ ୧.୧୦୪୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅର୍ଥାତ୍ ଏ ସଂପର୍କରେ ପୁଲିସରେ ଅଭିଯୋଗ ହୋଇଛି । କିନ୍ତୁ ସବୁଠାରୁ ଦୁଃଖଦ ବିଷୟଟି ହେଉଛି- ସେଥମଧ୍ୟରୁ ୫୨ ପ୍ରତିଶତ ମାମଲା (୬୦୪) ନାବଳିକାଙ୍କ କ୍ଷେତ୍ରରେ ଘଟିଛି । ଗଲା ୬ ମାସ ମଧ୍ୟରେ ରାଜ୍ୟରେ ୬୦୪ଟି ନାବାଳିକା ଦୁଷ୍କର୍ମ ମାମଲା ନେଇ ପୁଲିସରେ ରିପୋର୍ଟ ହେଉଛି । ଏହାର ଅର୍ଥ ହେଉଛି- ଦିନକୁ ଏପରି ୩ଟି ମାମଲା ଥାନାକୁ ଆସୁଛି । ୨୦୧୮ରେ ପୁଣି ଏହି ପରିସଂଖ୍ୟାନ ୫୭ ପ୍ରତିଶତ ଥିଲା । ଏ ବର୍ଷର ଏଇ ଛଅ ମାସରେ ଏମିତି ଅବସ୍ଥା ହୋଇଛି । ଶେଷ ଛଅ ମାସର ପରିସଂଖ୍ୟାନ ଆସିବାକୁ ଆହୁରି ବାକି ଅଛି ।

ଗୋଟିଏ ଉଦାହରଣ ଦେଉଛି- ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଏକ ଘରୋଇ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ସେହି ବିଦ୍ୟାଳୟର ସିନିଅରମାନେ ଗଣଦୁଷ୍କର୍ମ କଲେ । ସମସ୍ତ ଅଭିଯୁକ୍ତ ସେଇ ସ୍କୁଲର ଛାତ୍ର । ଝିଅଟି ଏତେ ଗୁରୁତର ହୋଇ ପଡ଼ିଛି ଯେ, ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାହା ପୁଣି ଆଇସିୟୁରେ । ଏବେ ସେ ଝିଅର ଅବସ୍ଥା କଣ ତାହା କିଛି ଜଣାନାହିଁ । କାହିଁକି ନା- ସେ ସଂପର୍କରେ ବିଶେଷ କୌଣସି ଖବର ଆସିପାରି ନାହିଁ । ହୁଏତ କୌଣସି ନା କୌଣସି ଜାଗାରେ ଏହା ଚାପି ଦିଆଯାଇଛି । କେବଳ ଗୋଟିଏ ବୈଦ୍ୟୁତିକ ଗଣମାଧ୍ୟମର ୱେବସାଇଟରେ ଏ ସଂପର୍କିତ ଖବର ଆସିଥିଲା । ତାହା ବି ପୁଣି ଅନିୟମିତ । ତେଣୁ ହୁଏତ ଘରୋଇ ସ୍କୁଲର ମାନସମ୍ମାନ ବଞ୍ଚାଇବା ପାଇଁ ଏପରି ଘୃଣ୍ୟ କାମକୁ ଚପେଇ ଦିଆ ଯାଇଥାଇପାରେ । ଯାହା ସବୁଠାରୁ ବଡ଼ ପାପ । କିନ୍ତୁ ତାହା ହେଉଛି ହୁଏତ । ଆଉ ଯଦି ତାହା ହୋଇଥିବ, ତେବେ ନାବାଳିକାଙ୍କ ବିରୋଧରେ ଯେଉଁ ଘୃଣ୍ୟ ପରିସଂଖ୍ୟାନ ଆସିଛି- ତାହା ,ଏମିତି କିଛି କାରଣରୁ ବଢି ବଢି ଚାଲିଛି ।
ସାଲେପୁର ଅଞ୍ଚଳରେ ଯାତ୍ରା ପାର୍ଟିର ଲୋକ ଜଣେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା । ସେ ଝିଅ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ ଥିଲା । ସେମିତି ଜଗତସିଂହପୁର ଜିଲ୍ଲାର ନାଉଗାଁରେ ଜଣେ ଦଳିତ ଝିଅ ପ୍ରତି ଘଟିଥିବା ଅତ୍ୟାଚାର ତ ବିଧାନସଭାରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ରାଜ୍ୟର ଅଧିକାଂଶ ସ୍କୁଲ ଏବେ ନାବାଳିକାଙ୍କ ପ୍ରତି ଅସୁରକ୍ଷିତ ହୋଇପଡ଼ିଛି । ଆଶ୍ରମ ସ୍କୁଲରୁ ନାବାଳିକାମାନେ ଗର୍ଭବତୀ ହେବାର ଖବର ବହୁବାର ଆସିଛି । ଆସୁଛି ଏବଂ ବନ୍ଦ ବି ହେଉନି । ସେଥିରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସଂପୃକ୍ତ ଥିବା କଥା ଜଣା ବି ପଡ଼ୁଛି । ଶିକ୍ଷକଙ୍କୁ କେତେକ କ୍ଷେତ୍ରରେ ନିଲମ୍ବିତ କରି କାମ ଛିଡ଼େଇ ଦିଆଯାଉଛି । କିନ୍ତୁ ତାହା ସମାଧାନ କି? କେବେ ବି ସମାଧାନର ରାସ୍ତା କି ତାହା? ସ୍କୁଲ ପରିସର ଯଦି ପିଲାଙ୍କ ପାଇଁ ଅସୁରକ୍ଷିତ ହେଉଛି- ତେବେ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଉ, ତାହା ସଂଗେ ସେ ଅଞ୍ଚଳର ବିଇଓ, ଜିଲ୍ଲାର ଡିଇଓଙ୍କୁ ବହିଷ୍କାର କରାଯାଉ । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ସେମିତି ହେଲେ କିଛିଟା ଡରିବେ । ଡରିଲେ ହୁଏତ ଚେତିବେ । ନହେଲେ ଆଶ୍ରମ ସ୍କୁଲ, ଯେଉଁଠିକୁ ଆଦିବାସୀ ଗରିବ ପିଲା ପଢିବା ପାଇଁ ଆସୁଛି, ପାଠପଢି ଶିକ୍ଷାର ଆଲୋକରେ ଆଲୋକିତ ହେବାର ସ୍ୱପ୍ନ ଦେଖୁଛି- ସେଠି ତା ପ୍ରତି ଯେଉଁ ଅତ୍ୟାଚାର ହେଉଛି- ତାହା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ ।

ନାବାଳିକାଙ୍କ ପ୍ରତି ହେଉଥିବା ଅନେକ ଯୌନ ନିର୍ଯାତନାରେ ଚିହ୍ନା, ପରିଚିତ ମଣିଷ ସଂପୃକ୍ତ ଥାଆନ୍ତି । ସେମାନଙ୍କୁ ବିଶ୍ୱାସ କରି ପିଲାଟି ତାଙ୍କ ପାଖକୁ ଆସେ । ଆଉ ନିର୍ଯାତନାର ଶିକାର ହୁଏ । ପରେ ସେ ଘଟଣା ସାରା ଜୀବନ ତାର ମାନସିକତାକୁ କେମିତି ବିକୃତ ବି କରିଦିଏ । କେହି ଜାଣନ୍ତିନି, କିନ୍ତୁ ସେ ଭିତରେ ଭିତରେ ହଜି ହଜି ଯାଏ ।

ଆଉ ଏକ ଦିଗ । ଯେତେବେଳେ ଏ ଘଟଣାସବୁ ସାମ୍ନାକୁ ଆସୁଛି- ସେତେବେଳେ ଅଚାନକ ସରକାରୀ ଦଳ ପକ୍ଷରୁ କୁହାଯାଉଛି- ଏହ ସମ୍ବେଦନଶୀଳ । ତେଣୁ ଏହାକୁ ନେଇ ରାଜନୀତି ନ କରାଯାଉ । କିନ୍ତୁ ପାଟିତୁଣ୍ଡ, ଧାରଣା ନ ହେଲେ କାର୍ଯ୍ୟାନୁଷ୍ଠାନ ସେମିତି ଆଖିଦୃଶିଆ ହେଉନି । ଏମିତି କି ଆଦୌ କାର୍ଯ୍ୟାନୁଷ୍ଠାନ ହେଉ ବି ନାର୍ହି । ସାରା ଦେଶ ଏହା ଦେଖିଛି । ତେଣୁ ପ୍ରତିବାଦ ତ ହେ । ନହେଲେ ସବୁ ଚପିଯିବ ଯେ । ନିଜ ପୋଷାକରେ ଦାଗ ନ ଲାଗୁ ବୋଲି ସବୁ ଚପେଇ ଦିଆଯିବ ଯେ !

ସେହିପରି ରାଜ୍ୟରେ ଶିଶୁ ସୁରକ୍ଷା ଦିଗରେ କାମ କରୁଥିବା ସରକାରୀ ସଂସ୍ଥାଙ୍କ ଭୂମିକାକୁ ନେଇ ବି କୋଟିଏ ପ୍ରଶ୍ନ । ସେମାନେ ଏସବୁ ମାମଲାରେ କଣ କରୁଛନ୍ତି, କି ପଦକ୍ଷେପ ନେଇଛନ୍ତି- ତାହା କେବେ ବି ଜଣାପଡ଼ୁ ନାର୍ହି । ଫଳରେ କ୍ରମଶଃ ବିଶ୍ୱାସ ତୁଟୁଛି ଲୋକଙ୍କର । ଭଲ ଲୋକଙ୍କର ବିଶ୍ୱାସ ତୁଟିଲେ- ଖରାପ ଲୋକ ଅପରାଧ ନେଇ ନିର୍ଭୟ ହୋଇ ଯାଉଛନ୍ତି । ଆଉ ଏମିତି ଭୟଙ୍କର ଘଟଣା ଘଟୁଛି । ତେଣୁ ତୁରନ୍ତ ଏ ନେଇ ସରକାର ଚେତନ୍ତୁ । ଭାଷଣ ଓ ଅନ୍ୟସବୁ ପରେ । ଆଗ ପଦକ୍ଷେପ ନିଅନ୍ତୁ, ଯାହାର ଫଳ ଆସିବା ଦରକାର ।

(ଲେଖକ ସାମ୍ବାଦିକତା ବିଭାଗର ଅଧ୍ୟାପକ)

LEAVE A REPLY

Please enter your comment!
Please enter your name here