ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଇଛି ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯେପରିକି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍, ‘ଶକ୍ତିଶ୍ରୀ’ ବ୍ୟବସ୍ଥା, ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ। ଚଳିତ ମାସରେ ରାଜ୍ୟବ୍ୟାପୀ ‘ସ୍କୁଲ ସୁରକ୍ଷା ସପ୍ତାହ’ପାଳନ କରାରିବ। ସମସ୍ତ ବିଦ୍ୟାଳୟରେ ସୁରକ୍ଷା ଅଡିଟ୍ ବାଧ୍ୟତାମୂଳକ ହେବ।
ରାଜ୍ୟର ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚଳିତ ଅଗଷ୍ଟ ମାସରେ ‘ସ୍କୁଲ ସୁରକ୍ଷା ସପ୍ତାହ-୨୦୨୬-୨୭’ ପାଳନ କରିବାକୁ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ନିର୍ଦ୍ଦେଶ ଜାରି କରିଛି । ଏହା ସହ ସମସ୍ତ ସରକାରୀ ବିଦ୍ୟାଳୟରେ ସଂରଚନାତ୍ମକ ଓ ଅଣ-ସଂରଚନାତ୍ମକ ସୁରକ୍ଷା ଅଡିଟ୍ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସ୍କୁଲ ସୁରକ୍ଷା ସପ୍ତାହ ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତି, ଅଗ୍ନି ନିରାପତ୍ତା, ପ୍ରଥମିକ ଚିକିତ୍ସା, ଶିଶୁ ସୁରକ୍ଷା, ପରିମଳ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ଏବଂ ଜରୁରୀକାଳୀନ ପରିସ୍ଥିତିରେ କରଣୀୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ଦିନଭିତ୍ତିକ କାର୍ଯ୍ୟସୂଚୀ, ମାର୍ଗଦର୍ଶିକା ଓ ମନିଟରିଂ ଫର୍ମାଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଏହି କାର୍ଯ୍ୟକ୍ରମ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରତ୍ୟେକ ସରକାରୀ ବିଦ୍ୟାଳୟକୁ ୨ ହଜାର ଟଙ୍କା ସମଗ୍ର ଶିକ୍ଷା ଏବଂ ପିଏମ୍ ଶ୍ରୀ ଯୋଜନା ଅଧୀନରେ ଯୋଗାଇ ଦିଆଯିବ । ଏହାବ୍ୟତୀତ ଯୋଜନା ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ଅନୁଦାନର ୧୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟରେ ବ୍ୟୟ କରାଯାଇପାରିବ। OSEPAର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ବର୍ଷା ଋତୁରେ ଶିକ୍ଷାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ପାଳନ କରାଯିବ। ଯେଉଁ ବିଦ୍ୟାଳୟରେ ସୁରକ୍ଷା ଅଡିଟ୍ ଏପର୍ଯ୍ୟନ୍ତ ହୋଇନାହିଁ, ସେଠାରେ ଅବିଳମ୍ବେ ଅଡିଟ୍ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି ।