ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (Board of Secondary Education) ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ (Council of Higher Secondary Education)କୁ ଏକ ବୋର୍ଡରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ (School Mass Education) ଓଡ଼ିଶାର ଏକ ସମୀକ୍ଷା ବୈଠକରେ ନିଆଯାଇଛି।
ଏହି ମିଳନ ଦ୍ୱାରା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ଓ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ସହ ପରୀକ୍ଷା ଓ ପାଠ୍ୟକ୍ରମରେ ଅଧିକ ସ୍ୱଚ୍ଛତା ଆଣିବ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି, ଯାହା ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଦିଗ ଦେବ ବୋଲି କୁହାଯାଉଛି।
ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ଓ ଆସନ୍ତା ତିନି ବର୍ଷ ମଧ୍ୟରେ ୪୪,୪୩୩ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସ୍କୁଲ ଶିକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ବିଶ୍ୱାସ କରାଯାଉଛି।
ଉଲ୍ଲେଖଯୋଗ୍ୟ, ବିଏସଇ ଏବେ ବିବାଦରେ ରହିଛି। ଓଟିଇଟି ପରୀକ୍ଷା କରିବାରେ ବିଫଳ ହେବା ଏବଂ ପ୍ରଶ୍ନପତ୍ର ଲିକ୍ ନେଇ ଉଭୟ ଶିକ୍ଷା ବିଭାଗ ଓ ସରକାର ଅଡୁଆରେ ପଡିଥିବା ବେଳେ ଏପରି ଏକ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଆଯାଇଛି।
Comments are closed.