Latest Odisha News

ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪ । ଆଜି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଲାଗୁ ହୋଇଛି । ଚଳିତ ବଜେଟ୍ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ଆଜି ରାଜ୍ୟପାଳ ହରିବାବୁ କମ୍ଭମପାଟି ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪କୁ ଓଡ଼ିଶାରେ ଲାଗୁ କରାଯାଇଛି ।

ତେବେ ଚଳିତ ବଜେଟ୍ ଅଧିବେଶନରେ ଗତ ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତି ତମାମ ଆଲୋଚନା ହେବା ପରେ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଧେୟକକୁ ବିଧାନସଭାରେ ପାରିତ କରାଯାଇଥିଲା । ଆଜି ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି । ଆଜିଠାରୁ ସାରା ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଲାଗୁହୋଇଛି । ଯାହା ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମତ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ରେ କ’ଣ ରହିଛି ସଂଶୋଧିତ ନିୟମ?

ଆଜିଠାରୁ ଲାଗୁ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଅନୁଯାୟୀ,

-ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନ୍ୟାୟିକ ମାମଲା ଯୋଗୁଁ ଶିକ୍ଷକ ନିଯୁକ୍ତି ପ୍ରକିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡ଼ାଇବା ତଥା ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦକ୍ଷ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସୁନିଶ୍ଚିତ କରାଯିବ ।

-ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାନଯାଇ ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା କରାଯିବ।

-ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ତିନିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ହେବ। କମିଟିରେ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବା ଶିକ୍ଷାବିତ୍‌ ହିଁ ସଦସ୍ୟ ଭାବେ ରହିପାରିବେ। ଏହାଦ୍ୱାରା କୁଳପତି ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ, ସ୍ୱଚ୍ଛ ଓ ଦକ୍ଷତା ଆଧାରିତ ହୋଇପାରିବ।

– ନୂଆ ସଂଶଷାଧନ ବିଧେୟକରେ କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି।

– ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସିନେଟ୍‌ର ପୁନଃ-ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇଛି । ସିନେଟ୍ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା ଯାହାକି ସମସ୍ତ ବର୍ଗ ଯଥା ଶିକ୍ଷାବିତ୍, ଅଧ୍ୟାପକ, ଛାତ୍ରଛାତ୍ରୀ, ପ୍ରଶାସନିକ କର୍ମଚାରୀ ଆଦିଙ୍କୁ ନେଇ ଗଠିତ ଏବଂ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ପାଇଁ ଏହା ମତାମତ ପ୍ରଦାନ କରିଥାଏ । ନୂଆ ସଂଶୋଧିତ ଆଇନ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥାକୁ ପୁନଃ ଅନ୍ତର୍ଭୁକ୍ତ କରାଯିବା ସହ ପ୍ରତି ବର୍ଷ ଦୁଇଥର ସିନେଟ୍ ର ବୈଠକ ଅନୁଷ୍ଠିତ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ ସଦସ୍ୟ ରହିଥିବାର ବ୍ୟବସ୍ଥା ଥିବାବେଳେ ଏଥରେ ଅତିକମ୍‌ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍‌ ଏବଂ ଛାତ୍ରସମାଜରୁ ରହିବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତହେବା ଦ୍ୱାରା ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀ  ଅନୁପାତକୁ ସୁନିଶ୍ଚିତ କରାଯାଇପାରିବ । ଗୁଣାତ୍ମକ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ ମୋଟ୍ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ “ଦୂରଶିକ୍ଷା” ବ୍ୟବସ୍ଥାକୁ ପ୍ରଣୟନ କରାଯିବ। ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କିମିଟିର ଗଠନ କରାଯିବ। ଭିତ୍ତିଭୂମି ପ୍ରକଳ୍ପ ବିକାଶର ସମୀକ୍ଷା ଓ ଯାଞ୍ଚ ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ। ଏଥିସହିତ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ପରିମାଣର ଅର୍ଥରାଶି ଭାରତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଅଡିଟ୍ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରାଯିବ ।

Comments are closed.