Latest Odisha News

BREAKING NEWS

House Rent: ଆଉ କଥାବାର୍ତ୍ତାରେ ନୁହେଁ, ଲେଖାପଢା ପରେ ମିଳିବ ଘରଭଡା…ଲିଖିତ ଚୁକ୍ତି ସାଙ୍ଗକୁ କରିବାକୁ ପଡିବ ଡିଜିଟାଲ୍ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଭଡାଡିଆ ଏବଂ ଘର ମାଲିକଙ୍କ ପାଇଁ ବଡ ଖବର । ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା ନେଇପାରିବେନି ଘରଭଡା । ଓଡ଼ିଶାର ସହରାଞ୍ଚଳରେ ଘରଭଡ଼ା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଆଧୁନିକ ଓ ଜବାବଦେହୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଅର୍ବାନ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୨୦୨୬’ ର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହି ନୂଆ ଆଇନ ଲାଗୁ ହେଲେ ୫୯ ବର୍ଷ ପୁରୁଣା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ-୧୯୬୭ ଏବଂ ଏହାର ୧୯୭୪ ସଂଶୋଧନକୁ ରଦ୍ଦ କରାଯିବ।

ନୂଆ ଆଇନ ଅନୁଯାୟୀ, ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ହେଉଥିବା ମୌଖିକ ଚୁକ୍ତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ। ଏଣିକି ପ୍ରତ୍ୟେକ ଭଡ଼ା ବ୍ୟବସ୍ଥା ପାଇଁ ଲିଖିତ ଚୁକ୍ତି କରିବା ବାଧ୍ୟତାମୂଳକ ହେବ ଏବଂ ଏହାକୁ ଚୁକ୍ତି ସ୍ୱାକ୍ଷରର ୬୦ ଦିନ ମଧ୍ୟରେ ରେଣ୍ଟ ଅଥରିଟି ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ।

ସରକାର ଏକ ସ୍ୱତନ୍ତ୍ର ଡିଜିଟାଲ୍ ପୋର୍ଟାଲ ଆରମ୍ଭ କରିବେ, ଯାହା ମାଧ୍ୟମରେ ଘରମାଲିକ ଓ ଭଡ଼ାଟିଆ ଅନଲାଇନରେ ଚୁକ୍ତି ପଞ୍ଜୀକରଣ କରିପାରିବେ। ଏହା ଦ୍ୱାରା ସମସ୍ତ ରେକର୍ଡ ସ୍ୱଚ୍ଛ ରହିବା ସହ ଆଇନଗତ ବିବାଦ କମିବ ବୋଲି ସରକାର ଆଶା ରଖିଛନ୍ତି।

ଏହି ନୂଆ ଆଇନର କିଛି ପ୍ରମୁଖ ବ୍ୟବସ୍ଥା ରହିଛି:-

ଲିଖିତ ଚୁକ୍ତି ବାଧ୍ୟତାମୂଳକ- ଏଣିକି ମୌଖିକରେ ଭଡ଼ା ଚୁକ୍ତି ହେବ ନାହିଁ। ପ୍ରତ୍ୟେକ ଚୁକ୍ତି ଲିଖିତ ଭାବେ କରିବାକୁ ପଡ଼ିବ। ଏଥିପାଇଁ ୬୦ ଦିନ ମଧ୍ୟରେ ପଞ୍ଜୀକରଣ ବାଧ୍ୟତାମୂଳକ । ଅର୍ଥାତ୍ ଚୁକ୍ତି ସ୍ୱାକ୍ଷର ପରେ ଦୁଇ ମାସ ମଧ୍ୟରେ ପଞ୍ଜୀକରଣ କରିବା ଆବଶ୍ୟକ।

ଭଡ଼ା ନିର୍ଦ୍ଧାରଣରେ ସରକାରୀ ହସ୍ତକ୍ଷେପ ନାହିଁ- ଘରମାଲିକ ଓ ଭଡ଼ାଟିଆ ପରସ୍ପର ସମ୍ମତିରେ ଭଡ଼ା ରାଶି ଓ ବୃଦ୍ଧି ସର୍ତ୍ତ ନିର୍ଦ୍ଧାରଣ କରିପାରିବେ।

ଡିଜିଟାଲ୍ ଟ୍ରାକିଂ ବ୍ୟବସ୍ଥା-ପଞ୍ଜୀକରଣ, ନବୀକରଣ ଓ ଅନ୍ୟାନ୍ୟ ତଥ୍ୟ ଅନଲାଇନରେ ସହଜରେ ଉପଲବ୍ଧ ହେବ।

ଭଡ଼ା ବୃଦ୍ଧି ପାଇଁ ନିୟମ- ଚୁକ୍ତିରେ ଉଲ୍ଲେଖ ଥିଲେ ଘରମାଲିକ ଭଡ଼ା ବଢ଼ାଇପାରିବେ। ଘରର ଉନ୍ନତିକରଣ, ନୂଆ ନିର୍ମାଣ କିମ୍ବା ଗଠନମୂଳକ ପରିବର୍ତ୍ତନ ପରେ ମଧ୍ୟ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି।

ଉପ-ଭଡ଼ା (Subletting) ଉପରେ କଡ଼ା କଟକଣା- ଘରମାଲିକଙ୍କ ଲିଖିତ ଅନୁମତି ବିନା ଭଡ଼ାଟିଆ ଘରର କୌଣସି ଅଂଶ କିମ୍ବା ସମ୍ପୂର୍ଣ୍ଣ ଘର ଅନ୍ୟକୁ ଭଡ଼ାରେ ଦେଇପାରିବେ ନାହିଁ। ଏପରି ଚୁକ୍ତି ହେଲେ ତାହା ମଧ୍ୟ ପଞ୍ଜୀକୃତ କରିବାକୁ ପଡ଼ିବ।

ସିକ୍ୟୁରିଟି ଡିପୋଜିଟ୍ ପାଇଁ ବ୍ୟବସ୍ଥା- ଚିଠା ଆଇନରେ ଭଡ଼ା ଚୁକ୍ତି ସମୟରେ ନିଆଯାଉଥିବା ସୁରକ୍ଷା ଜମାରାଶି (Security Deposit) ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି। ଏହାକୁ ନେଇ ଭବିଷ୍ୟତରେ ବିବାଦ କମିବ ବୋଲି ଆଶା କରାଯାଉଛି।

ଘରର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ- କେଉଁ କାମ ଘରମାଲିକ କରିବେ ଏବଂ କେଉଁ କାମ ଭଡ଼ାଟିଆ କରିବେ, ସେନେଇ ସ୍ପଷ୍ଟ ନିୟମ ରହିଛି। ଏହା ମରାମତିକୁ କେନ୍ଦ୍ର କରି ହେଉଥିବା ବିବାଦକୁ କମାଇବ।

ଭଡ଼ା ରସିଦ ଦେବା ବାଧ୍ୟତାମୂଳକ- ଘରମାଲିକଙ୍କୁ ଭଡ଼ା ନେବା ପରେ ଭଡ଼ାଟିଆଙ୍କୁ ରସିଦ ପ୍ରଦାନ କରିବାକୁ ହେବ। ଏହା ଭଡ଼ା ଦେୟକୁ ନେଇ ଭବିଷ୍ୟତ ବିବାଦ ଏଡ଼ାଇବ।

ଭଡ଼ା ପ୍ରାଧିକରଣ ଗଠନ- ପ୍ରତ୍ୟେକ ଅଞ୍ଚଳରେ ଭଡ଼ା ପ୍ରାଧିକରଣ ନିଯୁକ୍ତ ହେବେ। ଭଡ଼ା ଚୁକ୍ତି ପଞ୍ଜୀକରଣ, ଅଭିଯୋଗ ଶୁଣାଣି ଓ ବିବାଦ ସମାଧାନର ପ୍ରଥମ ସ୍ତର ଭାବେ ଏହି ପ୍ରାଧିକରଣ କାର୍ଯ୍ୟ କରିବେ।

ଗଠନ ହେବ ଭଡ଼ା ନ୍ୟାୟାଳୟ ଓ ନ୍ୟାୟାଧିକରଣ- ଭଡ଼ା ସମ୍ବନ୍ଧୀୟ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ ହେବ। ଏହା ଦ୍ୱାରା ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହୁଥିବା ମାମଲାର ଶୀଘ୍ର ସମାଧାନ ସମ୍ଭବ ହେବ।

ଘର ଖାଲି ନକଲେ ବଢ଼ିବ ଭଡ଼ା- ଚୁକ୍ତିର ଅବଧି ଶେଷ ପରେ ଭଡ଼ାଟିଆ ଘର ଖାଲି ନକଲେ ତାଙ୍କ ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ। ଏହା ଦ୍ୱାରା ଘରମାଲିକଙ୍କୁ ଘର ଫେରସ୍ତ ପାଇବା ସହଜ ହେବ।

ଉତ୍ତରାଧିକାରୀଙ୍କ ଅଧିକାର ସୁରକ୍ଷିତ- ଘରମାଲିକ କିମ୍ବା ଭଡ଼ାଟିଆଙ୍କ ମୃତ୍ୟୁ ହେଲେ ତାଙ୍କ ଉତ୍ତରାଧିକାରୀମାନେ ଚୁକ୍ତିର ଅବଶିଷ୍ଟ ସମୟ ପାଇଁ ସମାନ ଅଧିକାର ଓ ଦାୟିତ୍ୱ ପାଇବେ।

ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ‘ଓଡ଼ିଶା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ, ୧୯୬୭’ ଏବଂ ୧୯୭୪ ସଂଶୋଧନ ଆଇନ ରଦ୍ଦ ହୋଇଯିବ। ଦୀର୍ଘ ଦିନ ଧରି ଓଡ଼ିଶାରେ ଭଡ଼ା ବ୍ୟବସ୍ଥା ୧୯୬୭ ଆଇନ ଅନୁସାରେ ଚାଲୁଥିଲା। ଅଧିକାରୀମାନଙ୍କ ମତରେ, ଏହି ଆଇନ ଦ୍ୱାରା ଭଡ଼ାଟିଆଙ୍କୁ ଅନ୍ୟାୟ ଉଚ୍ଛେଦରୁ ସୁରକ୍ଷା ମିଳିବ। ସେହିପରି ଘରମାଲିକମାନେ ମଧ୍ୟ ଆଇନଗତ ଭାବେ ନିଜ ଅଧିକାର ସୁରକ୍ଷିତ ରଖିପାରିବେ। କଳାଧନ କାରବାର ଓ ଅନିୟମିତ ଭଡ଼ା ବ୍ୟବସ୍ଥାକୁ ମଧ୍ୟ ଏହା ନିୟନ୍ତ୍ରଣ କରିବ।

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ଖସଡ଼ା ଆଇନ ଉପରେ ସାଧାରଣ ଲୋକ, ଘରମାଲିକ, ଭଡ଼ାଟିଆ, ବିଶେଷଜ୍ଞ ଏବଂ ବିଭିନ୍ନ ସଂଗଠନଙ୍କ ମତାମତ ଲୋଡିଛନ୍ତି।

ଭୁବନେଶ୍ୱର, କଟକ ଓ ରାଉରକେଲା ଭଳି ଦ୍ରୁତ ବିକାଶଶୀଳ ସହରଗୁଡ଼ିକରେ ଭଡ଼ା ଘରର ଚାହିଦା ବଢ଼ୁଥିବା ବେଳେ, ଏହି ନୂଆ ଆଇନ ସହରାଞ୍ଚଳର ଭଡ଼ା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.