Latest Odisha News

BREAKING NEWS

ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଭାରତୀୟ ଅଟୋମୋବାଇଲ୍ ବଜାର ପାଇଁ ଏକ ବଡ଼ ତଥା ଐତିହାସିକ ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଦେଶରେ ପ୍ରଥମ ଥର ପାଇଁ ୧୦୦ ପ୍ରତିଶତ ଇଥାନଲ୍ ଦ୍ୱାରା ପରିଚାଳିତ ଏକ କାର୍ ଲଞ୍ଚ୍ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଗଡକରୀ କହିଛନ୍ତି ଯେ ଏହି ନୂଆ କାର୍‌ରେ ପେଟ୍ରୋଲର ଆଦୌ ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହାର ଇନ୍ଧନ ଖର୍ଚ୍ଚ ଏତେ କମ୍ ହେବ ଯେ ଗ୍ରାହକଙ୍କୁ ଲିଟର ପିଛା ପ୍ରାୟ ୨୫ ଟଙ୍କା ଖର୍ଚ୍ଚ କରିବା ଭଳି ଅନୁଭବ ହେବ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଅକ୍ଟୋବରରେ ଲୋକାର୍ପିତ ହେବାକୁ ଥିବା ଏହି ଯାନଟି ହେଉଛି ଜାପାନୀ ଅଟୋମେକର୍ ଟୟୋଟା କମ୍ପାନୀର ବହୁପ୍ରତୀକ୍ଷିତ ଇନୋଭା ଫ୍ଲେକ୍ସ-ଫୁଏଲ୍ ମଡେଲ । ଏହାର ଲଞ୍ଚିଂ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କମ୍ପାନୀ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆମନ୍ତ୍ରଣ ମଧ୍ୟ କରାଯାଇଛି । ଏହି କାର୍‌ଟି କେବଳ ଇଥାନଲ୍‌ରେ ଚାଲିବ ନାହିଁ, ବରଂ ଚାଲିବା ସମୟରେ ଏହା ୬୦ ପ୍ରତିଶତ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରିବ ବୋଲି ଗଡକରୀ ଦାବି କରିଛନ୍ତି। ଫଳରେ ଏହା ଉଭୟ ଶସ୍ତା ଏବଂ ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ।

ବର୍ତ୍ତମାନ ଭାରତ ସରକାରଙ୍କ E20 ପଲିସି ଅଧୀନରେ ପେଟ୍ରୋଲ ସହ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କରାଯାଉଛି। କିନ୍ତୁ ଏହାର ପ୍ରଭାବ ଗାଡ଼ିର ଇଞ୍ଜିନ୍ ଏବଂ ମାଇଲେଜ୍ ଉପରେ କିପରି ପଡ଼ୁଛି ତାହାକୁ ନେଇ କିଛି ଗ୍ରାହକ ଓ ସାଂସଦ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଗଡକରୀ କହିଛନ୍ତି ଯେ ବିଶ୍ୱର ପ୍ରାୟ ୧୯ଟି ଦେଶ ଏବେ ସଫଳତାର ସହ ଇଥାନଲ୍ ଇନ୍ଧନ ବ୍ୟବହାର କରୁଛନ୍ତି ଏବଂ ଭାରତରେ ମଧ୍ୟ କୌଣସି ଗାଡ଼ି ନିର୍ମାତା କିମ୍ବା ଉପଭୋକ୍ତା ଗୋଷ୍ଠୀଠାରୁ ଇଞ୍ଜିନ୍ ଖରାପ ହେବା ନେଇ କୌଣସି ଆଧିକାରିକ ବା ବଡ଼ ଧରଣର ଅଭିଯୋଗ ଆସିନାହିଁ । କେବଳ ଟୟୋଟା ନୁହେଁ, ବରଂ ଗତ ଜୁନ୍ ମାସରେ ମାରୁତି ସୁଜୁକି ମଧ୍ୟ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ୍ ପାସେଞ୍ଜର କାର୍ ବଜାରକୁ ଆଣିସାରିଛି ।

ଇଥାନଲ୍ ଉତ୍ପାଦନ କୃଷକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେଉଛି। ମକା ଏବଂ ଆଖୁରୁ ଇଥାନଲ୍ ଉତ୍ପାଦନ କରାଯାଉଥିବାରୁ କୃଷକମାନେ ଉପଯୁକ୍ତ ମୂଲ୍ୟ ପାଇବା ସହ ଏବେ କେବଳ ‘ଅନ୍ନଦାତା’ ନୁହେଁ ବରଂ ‘ଊର୍ଜାଦାତା’ ପାଲଟିଛନ୍ତି। ଏହାସହ ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ବାଇକ୍-ଟ୍ୟାକ୍ସି ସେବାକୁ ପ୍ରୋତ୍ସାହନ ଦେବା ଉପରେ ଗଡକରୀ ଗୁରୁତ୍ୱାରୋପ କରିଛନ୍ତି। ଯୁବକମାନେ ନିଜ ନିଜର ଦୁଇ-ଚକିଆ ଯାନକୁ ଆପ୍-ଭିତ୍ତିକ ଟ୍ୟାକ୍ସି ସେବାରେ ନିୟୋଜିତ କରି ବିନା ପୁଞ୍ଜିରେ ଅତିରିକ୍ତ ରୋଜଗାର କରିପାରିବେ ।

Leave A Reply

Your email address will not be published.