ଭୁବନେଶ୍ୱର: ଆକ୍ସନ ମୁଡରେ ଓଡିଶା ଭିଜିଲାନ୍ସ। ଗୋଟିଏ ଦିନରେ ଏକକାଳୀନ ୩ ଟି ଜିଲ୍ଲାରେ ଚଢାଉ କରିଛି ଭିଜିଲାନ୍ସ ଟିମ। ଶୁକ୍ରବାର ଦିନ ସମ୍ବଲପୁର, ମୟୂରଭଞ୍ଜ ଏବଂ ନୟାଗଡ଼ ଜିଲ୍ଲାରେ ଏକକାଳୀନ ଓଡିଶା ଭିଜିଲାନ୍ସ ଅପରେସନ୍ ବେଳେ ତିନିଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଏବଂ ମୟୂରଭଞ୍ଜ ଜିଲ୍ଲା ବିଜାଟୋଲା ବ୍ଲକର ପୂର୍ବତନ ପିଓ ପୁଷ୍ପିତା ମହାକୁଡ।
ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ରହିଛି। ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ। ମାତ୍ର ଉକ୍ତ କାର୍ଯ୍ୟ ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗି ଆସୁଥିବା ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ।
ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ତହସିଲଦାରଙ୍କ ଡ୍ରାଇଭର ଥିବା ପ୍ରବିନ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାରଙ୍କୁ ଅଟକ ରଖି ସମ୍ବଲପୁରକୁ ନେଇଥିବା ଜଣାପଡିଛି। ଘଟଣାର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସେହିପରି ଲେବର କାର୍ଡ କରିଦେବାକୁ ହାତଗୁଞ୍ଜା ନେଉଥିଲେ ଶ୍ରମ ଅଧିକାରୀ। ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତରଂଜନ ରାଉତ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହତାରେ ଧରାପଡ଼ିଛନ୍ତି। ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତରଂଜନ ରାଉତ ବିରୁଡା ଗ୍ରାମର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କୁ ୨୨ଟି ଲେବର କାର୍ଡ କରିଦେବାକୁ ଟଙ୍କା ମାଗିଥିଲେ। ଗୋଟିଏ ଶ୍ରମ କାର୍ଡ ପିଛା ୩ ଶହ ଟଙ୍କା ଲେଖାଏଁ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ଆଜି ଚିତରଂଜନ ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି କ୍ରମେ ଭିଜିଲାନ୍ସ ମାଡ଼ି ବସିଛି। ଏବେ ଭିଜିଲାନ୍ସ ଶ୍ରମ ଅଧିକାରୀଙ୍କ ଭଡା ଘର ସମେତ କାର୍ଯ୍ୟାଳୟରେ ତଦାରଖ କରୁଛି।
ଅନ୍ୟପଟେ ମୟୂରଭଞ୍ଜର ରାଇରଙ୍ଗପୁର ସବ-କଲେକ୍ଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପୁଷ୍ପିତା ମହାକୁଡଙ୍କୁ ବୃଦ୍ଧାବସ୍ଥା ପେନସନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ୫,୬୮,୯୫୦ ଟଙ୍କାର ସରକାରୀ ପାଣ୍ଠି ହଡ଼ପ କରିବା ଅଭିଯୋଗରେ ଗିରଫ କରାଯାଇଛି।
Comments are closed.