Latest Odisha News

BREAKING NEWS

କମଳାକାନ୍ତଙ୍କ ରେକର୍ଡ ନିଶା, ୨୪ ଘଣ୍ଟାରେ ଅତିକ୍ରମ କରିବେ ୨୦୦ କି.ମି!

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବକଙ୍କ ରେକର୍ଡ ନିଶା । ୨୪ ଘଣ୍ଟାରେ ୨୦୦ କିଲୋମିଟର ହ୍ୱିଲ ଚେୟାର ଯୋଗେ ସାଇକେଲିଂ କରିବାକୁ ରଖିଛନ୍ତି ଟାର୍ଗେଟ । ଗିନିଜ ବୁକରେ ନିଜ ନାଁ ଯୋଡ଼ିବାକୁ ଦୃଢ ଆଶା । ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁର ଅଂଚଳର ଦିବ୍ୟାଙ୍ଗ ଯୁବକ କମଳାକାନ୍ତ ନାୟକ । ଏଥିପାଇଁ ଦୀର୍ଘ ୬ ବର୍ଷ ଧରି ସେ ଜାରି ରଖିଥିଲେ ଅହରହ ପ୍ରୟାସ । ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଆଜି ସେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ହ୍ୱିଲଚେୟାରରେ ସାଇକେଲିଂ ଆରମ୍ଭ କରିଛନ୍ତି । ଯଦି ଏଥିରେ ସେ ସଫଳ ହେବେ ତା ହେଲେ ଗିନିଜ ବୁକ୍ରେ ସେ ପ୍ରଥମ ଦିବ୍ୟାଙ୍ଗ ଓଡ଼ିଆ ପୁଅ ଭାବେ ବିବେଚିତ ହେବେ ।

ଆଜି ଦିନ ୩ଟାରୁ ଆସନ୍ତାକାଲି ଦିନ ୩ଟା ପର୍ୟ୍ୟନ୍ତ କମଳାକାନ୍ତ ସାଇକେଲିଂ ଜାରି ରଖିବେ । ଏଥିପାଇଁ ୧୨ ଜଣ ସମୀକ୍ଷକ ସଜାଗ ରହି ତାଙ୍କର ଭିଡିଓ ରେକର୍ଡିଂ କରିବେ । ଏହି କାର୍ୟ୍ୟ ପାଇଁ ତାଙ୍କୁ କିଛି ଦିବ୍ୟାଙ୍ଗ, ଓଲିଉଡ଼ ସିନେଷ୍ଟାର, ରାଜନେତା ଓ କ୍ରୀଡ଼ାବିତ୍ ଉତ୍ସାହିତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୃଢ ଇଚ୍ଛାଶକ୍ତି ଓ ଆତ୍ମବଳରେ ସବୁକିଛି ସମ୍ଭବ । ଏ କଥା ପ୍ରମାଣିତ କରିବାକୁ ଅଣ୍ଟା ଭିଡିଛନ୍ତି କମଳାକାନ୍ତ ନାୟକ । କମଳାକାନ୍ତଙ୍କ ଏହି ପ୍ରୟାସ ଯେ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ଜୀବନରେ ଆଗକୁ ବଢିବାକୁ ଉତ୍ସାହିତ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।

Comments are closed, but trackbacks and pingbacks are open.