Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ କସରତ, ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବା ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ପଞ୍ଚାୟତ ନିର୍ବାଚନର ପ୍ରତିଟି ପର୍ଯ୍ୟାୟରେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଆଜି ବସିଥିବା ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଓ ପ୍ରଶାସନର ପ୍ରସ୍ତୁତି ବାବଦରେ ସବିଶେଷ ଆଲୋଚନା ହୋଇଛି । ଖାସକରି ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ଗୁରୁତ୍ବ ଦିଆଯାଇଛି । ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ, ଗୃହ ଓ ସ୍ବାସ୍ଥ୍ୟ ବିଭାଗ ଏସିଏସ, ପୋଲିସ ଡିଜି, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା, କୋଭିଡ କଟକଣା ପାଳନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ସେହିପରି ଶାନ୍ତିଶୃଙ୍ଖଳା ସହ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହେବେ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି । ସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର ରଖାଯିବ । ସେପଟେ ଦିନକ ପରେ ଆରମ୍ଭ ହେବ ନାମାଙ୍କନ ପର୍ବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ତତ୍ପରତା ।

Comments are closed, but trackbacks and pingbacks are open.