Latest Odisha News

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ପତ୍ନୀଙ୍କ ନିବେଦନ ଅନୁସାରେ ଅନେକ ଲୋକ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଥିଲେ ।

ବାସୁଦେବପୁର ମନ୍ଦାରୀ ଗାଁରେ ଅଭିଷେକ ମହାପାତ୍ରଙ୍କ ଘର। ଜୁନ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଷେକଙ୍କ ଅବସ୍ଥା ପରେ ଗୁରୁତର ହୋଇଥିଲା। ଅଭିଷେକଙ୍କ ଜୀବନ ବଞ୍ଚାଇବା ପାଇଁ ଇକ୍‌ମୋ ଚିକିତ୍ସା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।

ମାତ୍ର ୩୩ ଦିନ ତଳେ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିବା ଅଭିଷେକ ଜୀବନ ଯୁଦ୍ଧରେ ସଂଗ୍ରାମରତ ଥିଲେ। ଇକ୍‌ମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଥିଲା ଅର୍ଥର ଅଭାବ। ଅଭିଷେକଙ୍କୁ ଏୟାରଲିଫ୍ଟିଂ ପାଇଁ ଦରକାର ପାଖାପାଖି ୩୦ଲକ୍ଷ ଟଙ୍କା।  ଏହା ବ୍ୟତୀତ ଅନ୍ୟାନ୍ୟ ଚିକିତ୍ସା ପାଇଁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିଲା ।  ହେଲେ ଏତେ ଟଙ୍କା ଯୋଗାଡ କରିବା ଅଭିଷେକଙ୍କ ପରିବାର ପକ୍ଷେ ଅସମ୍ଭବ ଥିଲା ।

ଶେଷରେ ସୋଶିଆଲ ମିଡିଆରେ ସହାୟତା ନେଇଥିଲେ ଅଭିଷେକଙ୍କ ପତ୍ନୀ ଓ ପରିବାର ଲୋକେ। ଅଭିଷେକଙ୍କ ଚିକିତ୍ସା ପାଇଁ ସହାୟତାର ସୁଅ ଛୁଟିଥିଲା। ସହାୟତା ମିଳିବା ପରେ ଜୁନ ୯ ତାରିଖରେ ତାଙ୍କୁ ଏୟାରଲିଫ୍ଟିଂ କରାଯାଇ କୋଲକାତା ପଠାଯାଇଥିଲା।  ଦୀର୍ଘଦିନର ସଂଗ୍ରାମ ପରେ ଗତକାଲି ରାତି ୧୦ଟାରେ ଆଖି ବୁଜିଥିଲେ ଅଭିଷେକ।

ଭଦ୍ରକ ବାସୁଦେବପୁର ମନ୍ଦାରି ଗାଁର ଯଦୁନାଥ ମହାପାତ୍ରଙ୍କ ଏକମାତ୍ର ପୁଅ ଅଭିଷେକ ମହାପାତ୍ର ସିଭିଲ ଇଂଜିନିୟର ଭାବେ ଓମାନରେ କାମ କରୁଥିଲେ  ସେ ମାର୍ଚ୍ଚ ୨୫ରେ ଘରକୁ ଆସିବା ପରେ ମେ ୫ ତାରିଖରେ ହୋଇଥିଲା ବାହାଘର । ଏହାର ମାତ୍ର ୮ ଦିନ ପରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.