ଭୁବନେଶ୍ବର:ଓଡିଶା ପୋଲିସକୁ ଆଜି ଐତିହାସିକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଆଜି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି।
ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ,ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ୱିତ ପଦକ୍ଷେପ ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।
ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବା ସହ ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି ।