Latest Odisha News

BREAKING NEWS

କାହିଁକି ଓଡ଼ିଶା ମୁହାଁ ହେଉନାହିଁନ୍ତି ପର୍ଯ୍ୟଟକ! ଦେଶର ଶ୍ରେଷ୍ଠ ୧୦ ପର୍ଯ୍ୟଟନ କ୍ଷେତ୍ର ତାଲିକାରେ ନାହିଁ ଓଡିଶାର ନାଁ..

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପଛେଇଛି ଓଡିଶା । ବିଶ୍ୱ ପର୍ଯ୍ୟଟନ ଦିବସରେ ପ୍ରକାଶିତ ଭାରତୀୟ ପର୍ଯ୍ୟଟନ ତଥ୍ୟଭିତ୍ତିକ ବାର୍ଷିକ ରିପୋର୍ଟ-୨୦୨୫ ଅନୁଯାୟୀ, ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ତାଲିକାରେ ଶ୍ରେଷ୍ଠ ୫ରୁ ୧୦ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ । ୨୦୨୪ରେ ଓଡ଼ିଶାକୁ ମାତ୍ର ୫୩ ହଜାର ୩୯୨ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।

ଯେତବେଳେକି ୨୦୨୪ରେ ମହାରାଷ୍ଟ୍ରକୁ ୩୭ ଲକ୍ଷ, ପଶ୍ଚିମବଙ୍ଗକୁ ୩୧ ଲକ୍ଷ, ଉତ୍ତରପ୍ରଦେଶକୁ ୨୨ ଲକ୍ଷ, ଗୁଜରାଟକୁ ୨୨ ଲକ୍ଷ, ରାଜସ୍ଥାନକୁ ୨୦ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।

ସେହିପରି ଘରୋଇ ପର୍ଯ୍ୟଟକଙ୍କ କଥା ଦେଖିଲେ, ୨୦୨୪ରେ ମାତ୍ର ୧ କୋଟି ୯ ଲକ୍ଷ ୯୮ ହଜାର ୫୧୯ ଜଣ ଓଡ଼ିଶାକୁ ଆସିଥିବାବେଳେ, ଉତ୍ତରପ୍ରଦେଶକୁ ୬୪ କୋଟି ଘରୋଇ ପର୍ଯ୍ୟଟକ ଆସିଛନ୍ତି । ତାମିଲନାଡ଼ୁକୁ ୩୦ କୋଟି, କର୍ଣ୍ଣାଟକକୁ ୩୦ କୋଟି, ଆନ୍ଧ୍ରପ୍ରଦେଶକୁ ୨୯ କୋଟି ଏବଂ ରାଜସ୍ଥାନକୁ ୨୩ କୋଟି ଘରୋଇ ପର୍ଯ୍ୟଟକ ଆସିଛନ୍ତି । ସେଥିମଧ୍ୟରେ ବିଭିନ୍ନ ରାଜ୍ୟରୁ ୪୩ ଲକ୍ଷ ୯୯ ହଜାର ୮୩୭ ଜଣ ଓ ରାଜ୍ୟ ଭିତରୁ ୬୫ ଲକ୍ଷ ୯୮ ହଜାର ୯୮୨ ଜଣ ଘରୋଇ ପର୍ଯ୍ୟଟକ ଅଛନ୍ତି ।

ଦେଶରେ ଘରୋଇ ପର୍ଯ୍ୟଟକ ପରିଦର୍ଶନ କରିଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଆଗ୍ରାର ତାଜମହଲ ତଳକୁ ଦ୍ୱିତୀୟ ସ୍ଥାନରେ କୋଣାର୍କ ସୂର୍ଯ୍ୟମନ୍ଦିର ରହିଛି । କୋଣାର୍କକୁ ୩୫ ଲକ୍ଷ ୭୧ ହଜାର ପର୍ଯ୍ୟଟକ ଆସିଛନ୍ତି । ସେହି ୨୦୨୪-୨୫ରେ ଏଏସଆଇ ସଂରକ୍ଷିତ ଦେୟଯୁକ୍ତ ସ୍ମାରକୀଗୁଡ଼ିକୁ ପରିଦର୍ଶକଙ୍କ ସଂଖ୍ୟାରେ ଓଡ଼ିଶାର ୫ଟି ସ୍ଥାନ ରହିଛି । ପ୍ରଥମରେ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଛି । ଏହାପରେ ଭୁବନେଶ୍ୱରର ଉଦୟଗିରି-ଖଣ୍ଡଗିରି ରହିଛି ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ସୂଚନା ମୁତାବକ, ରାଜ୍ୟରେ ୩୭୮ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ ସହ ବିକାଶ ପାଇଁ ନିରନ୍ତର କାର୍ଯ୍ୟ ଚାଲିଛି । ଚଳିତ ବର୍ଷ ୩୦ଟି ଜିଲ୍ଲାର ମଞ୍ଜୁରିପ୍ରାପ୍ତ ପର୍ଯ୍ୟଟନ ଭିତ୍ତିଭୂମି ଲାଗି ବିଭିନ୍ନ ପ୍ରକଳ୍ପକୁ ୭୦ କୋଟିରୁ ଅଧିକ ଟଙ୍କା ଦିଆଯାଇଛି । ଆଗକୁ ଦୁଃସାହସିକ ପର୍ଯ୍ୟଟନ ସାଙ୍ଗକୁ ୟାଟ୍‌ ଟୁରିଜିମ୍‌ ଏବଂ କାରାଭାନ୍‌ ଟୁରିଜିମ୍‌ର ଶୁଭାରମ୍ଭ ହେବ । ୧୯ଟି ସଂରକ୍ଷିତ ଅଞ୍ଚଳ ଏବଂ ୨ଟି ଜାତୀୟ ଉଦ୍ୟାନରେ କ୍ୟାମ୍ପ୍‌, ସଫାରି, ଟ୍ରେକିଂର ସୁଯୋଗ ମିଳିବ ।

Comments are closed.