କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ଭୁବନେଶ୍ୱର: କରୋନା ନେଲା ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଆଜି ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ କାର୍ଯ୍ୟରତ ଥିଲେ ପ୍ରବୀର ।

କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗଦେଇଥିଲେ ପ୍ରବୀର । ପରେ ପୁଣି ଅସୁସ୍ଥ ହୋଇଥିଲେ । ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପ୍ରବୀର । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମାସେ ତଳେ ତାଙ୍କର ବାପାଙ୍କ ପରଲୋକ ହୋଇଥିଲା । ଘରେ ତାଙ୍କର ପତ୍ନୀ ଓ ଛୋଟ ଝିଅ ଅଛନ୍ତି । ପ୍ରବୀରଙ୍କ ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । କର୍ତ୍ତବ୍ୟନିଷ୍ଠ ପ୍ରବୀର ନିଜର ଉତ୍ତମ ବ୍ୟବହାର, ମେଳାପୀ ସ୍ୱଭାବ ଓ ପରୋପକାର ପାଇଁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇଥିଲେ ।