ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କେବେ ବିଶ୍ବାସ ହେଲେ ଭଂଗ
ତା’ପରେ ଅନ୍ୟାନ୍ୟ ପ୍ରସଂଗ
ହୁଅଂତି ତୁଚ୍ଛ ଓ ନଗଣ୍ୟ
ଏପରି ମଣିଷର ମନ
ବିଶ୍ବାସ ବଳେ ଚଳେ ବିଶ୍ବ
ଘଟିଲେ ତହିଁର ବିନାଶ
ହୋଇପାରେନି ଯୋଡ଼ାଯୋଡ଼ି
ଦୂରତା ଯାଉଥାଏ ବଢ଼ି
ଶୁଣାଇ ମଧୁର ବଚନ
ନ କଲେ ତାହାକୁ ପାଳନ
ବଚନ ହୁଏ ମୂଲ୍ୟହୀନ
ଦୁଃସହ ହୁଏ ଏ ଜୀବନ
ଶପଥ, ପ୍ରତିଜ୍ଞା ଓ ରାଣ
ତୁଂଡରେ କଲେ ଉଚ୍ଚାରଣ
ମିଳେନି ନ୍ୟୂନତମ ଫଳ
ସଂଦେହ ଉପୁଜେ କେବଳ
ଉକ୍ତିରୁ କୃତି ହେଲେ ବଡ଼
ହାତୁଡ଼ି ଭାଂଗଇ ପାହାଡ଼
କେବଳ କଥା ଲେଖି, କହି
ସଂସାରେ ଚଳି ହୁଏନାହିଁ
ଯାହାଂକୁ ଯେଉଁ କାମ ଜଣା
କରିବା ପାଇଁ କଲେ ମନା
ଯୋଜନା ହୁଏ ଫଳହୀନ
ଧନୀ ରାଇଜ ହୁଏ ଦୀନ
ଜାତିର ଉତ୍ଥାନ, ପତନ
ନିମଂତେ ଦାୟୀ ଜନଗଣ
କ୍ଷମତା ଥାଉ କି ନ ଥାଉ
ନିଜ ଦାୟିତ୍ୱ ନିଜେ ନେଉଁ
ଧନ, କ୍ଷମତା ଲୋଡ଼ି, ଲୋଡ଼ି
ଆମେ ରହିଛୁଁ ତଳେ ପଡ଼ି
କେବଳ କରୁଛୁଁ ଗୁହାରି
ବାରଂବାର ଯାଉଛୁଁ ହାରି
ଥିଲେ ହେଁ ବହୁ ସଂଭାବନା
କରୁଛୁଁ ସଭିଂକୁ ପ୍ରାର୍ଥନା
ତେବେ ବି ମିଳୁନାହିଁ ଫଳ
ଚଂଚଳ ସରୁଅଛି କାଳ
ବଦଳାଇଲେ ମନୋବୃତ୍ତି
ହୁଏତ ଘଟଂତା ଉନ୍ନତି
ସେଆଡ଼େ ନେଉଁନାହୁଁ ମନ
ଏମିତି ଆମର ଜୀବନ
Comments are closed.