ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦଶଟି ସଂସ୍କୃତ ଶ୍ଳୋକାର୍ଥ
ଯିଏ ବି କରିଛି କଂଠସ୍ଥ
ସେ ଏଠି ବୋଲାଇ ପଂଡିତ
ଅର୍ଜନ କରେ ମାନ, ବିତ୍ତ
ଯାହା ବୁଝଂତିନାହିଁ କେହି
ତାହାକୁ ବାରଂବାର କହି
ପଂଡିତେ ଲୋକମନ ମୋହି
ସୁଖେ ଏଠି ଥାଆଂତି ରହି
ଆତ୍ମସ୍ବୀକୃତ ଜ୍ଞାନୀଗଣ
ନିଜକୁ କରି ନିୟୋଜନ
ଭାଷାକୁ କରିଦେଇ ପେସା
ଚଳାଇଥାଂତି ପେଟପୋଷା
ଇଂଲିଶ୍ ଭାଷାଜ୍ଞାନୀ ଜନ
ବିଚାର, ଶିକ୍ଷା, ପ୍ରଶାସନ
ପାଇଁ ଚଳାଂତି ଯେଉଁ ଭାଷା
ତାହା ବୁଝେନି ସର୍ବୋଡ଼ିଶା
ଦୁଇଟି ଭାଷାର ଦୌରାତ୍ମ୍ୟ
ଚାଲିଛି ଏଠି ଅବିରତ
କିଆଁ ସ୍ବଭାଷା ପ୍ରଚଳନ
ହେଉନି ଏବେ ବୁଝ, ଜାଣ
କେବଳ ସାହିତ୍ୟ ମାଧ୍ୟମ
ଏଠାରେ ହୋଇଛି ଅକ୍ଷମ
ଏହି ଭାଷାରେ ସବୁ କାମ
କଲେ ହିଁ ହଟିବ ଦୁର୍ନାମ
ଯେଉଁ ଭାଷାରେ ଜିଇଁ ଲୋକେ
ତିଷ୍ଠି ଅଛଂତି ଦୁଃଖେ, ଭୋକେ
ତାହା ହୋଇଛି ଗତିହୀନ
ଏହା କି ନୁହେ ଅପମାନ
ଏଠାରେ ବହୁ ସ୍ମୃତିଧର
କରଂତି ଯେପରି ଚିତ୍କାର
ତା ହୁଏ ନିରର୍ଥକ ଧ୍ବନି
ଘଟିଚାଲେ ଭାଷାର ହାନି
ଚଳିତ ଭାଷାକୁ ସ୍ବୀକୃତି
ଦେବା ସକାଶେ କାହା ମତି
ହେଉନି ଯେଣୁ ବିଚଳିତ
ସ୍ବଭାଷା ଏବେ ବିଗଳିତ
Comments are closed.