ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅସଂଖ୍ୟ ବହି କିଣା ହୋଇ
ଗ୍ରଂଥାଗାରରେ ଥାଂତି ଶୋଇ
ସେ ନିଦ ହୁଏ ଦୀର୍ଘସ୍ଥାୟୀ
କେହି ନିଦ ଭାଂଗଂତିନାହିଁ
ଆମ ପୁସ୍ତକପ୍ରେମୀଗଣ
ସଭାରେ ଦେଲେ ହେଁ ଭାଷଣ
ଶୁଣିବା ପାଇଁ ନାହିଁ କାନ
ବୁଝିବା ଭଳି ନାହିଁ ମନ
ଲେଖକ, କବି କେତେ ଜଣ
ଗୋଟାଂତି ସବୁଠୁଁ ସମ୍ମାନ
ନାହାଂତି ତାଂକର ପାଠକ
ପ୍ରଦେଶ ସାରା ଖୋଜି ଦେଖ
କେବଳ ଛାତ୍ରଛାତ୍ରୀଗଣ
କରଂତି ଲିଖନ ପଠନ
ଏମିତି ସଂସ୍କୃତି ଗଠନ
କରଂତି ପ୍ରଶାସକଗଣ
ପାଠକ ବାଛିବା କ୍ଷମତା
ପାଇନି ଗୋଟିଏ ବି ସଂସ୍ଥା
ଅଲୋଡ଼ା ବହି କିଣି, ବାଂଟି
ସଂସ୍ଥାଟେ ସାରେ ତା ପାଇଟି
ସୁଂଦର ହେଲେ ହେଁ ମଲାଟ
କାଗଜ ଚିକଣ ଓ ମୋଟ
ନ ଥିଲେ ଉପଯୋଗୀ ପାଠ
ବହିକୁ ଚରିଥାଂତି କୀଟ
ବହିକୁ କେମିତି ଆଦର
ମିଳୁଛି ଯାହାକୁ ପଚାର
ପାଇବ ଗୋଟିଏ ଉତ୍ତର
‘ ଏ ସବୁ ନୁହେ ଦରକାର ‘
ପରୀକ୍ଷା ଦେବାର ତ ନାହିଁ
ବହି ପଢ଼ିବୁ କାହିଁ ପାଇଁ ?
ଏଠାର କବି ଓ ଲେଖକ
ହେଲେ ହୁଅଂତୁ ବହିପୋକ
ଭାଷା, ସାହିତ୍ୟ ପରିଧିସ୍ଥ
ହେବାରୁ ଏବେ କିଆଁ ବ୍ୟସ୍ତ ?
କ’ଣ କରିଛୁଁ ଭାଷା ପାଇଁ
ଶାଂତ ହେଉଁ ଉତ୍ତର ଦେଇ
Comments are closed.