Latest Odisha News

ଓଡ଼ିଶୀ ନୃତ୍ୟ ଉତ୍ସବ ଉଦୟରାଗ-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ଓଡ଼ିଶୀ ନୃତ୍ୟର କଳାତ୍ମକ ଦିଗକୁ ଲୋକଲୋଚନକୁ ଆଣିବା ପ୍ରୟାସରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଗୁରୁଅରୁଣା ମହାନ୍ତିଙ୍କ ନେତୃତ୍ୱରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ଏକ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ଆନୁକୂଲ୍ୟରେ ଉଦୟରାଗ ୨୦୨୪ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ ମାଧବୀ ମୁଦଗଲ, ଶର୍ମିଲା ବିଶ୍ଵାସ, ସିକତା ଦାସ, ରତିକାନ୍ତ ମହାପାତ୍ର, ସାହାନା ଦାସ, ବିଚିତ୍ରାନନ୍ଦ ସ୍ୱାଇଁ, ସ୍ନେହପ୍ରଭା ସାମନ୍ତରାୟ, ମିନାକ୍ଷୀ ବେହେରା, ଅରୁଣା ମହାନ୍ତି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ ।

ସନ୍ଧ୍ୟାର ପ୍ରଥମ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଶ୍ରୀପୁଣ୍ୟ ମହାନ୍ତି । ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି, ସଙ୍ଗୀତ ସଂଯୋଜନା କରିଥିଲେ ଅଗ୍ନିମିତ୍ର ବେହେରା ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । ତାଙ୍କର ଶେଷ ପ୍ରସ୍ତୁତିଟି ଥିଲା ବଂଶୀ ସ୍ଵନ। ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ ।

ତଥା ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁବିଚିତ୍ରାନନ୍ଦ ସ୍ୱାଇଁଙ୍କ ଶିଷ୍ୟ ସମୀର କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପରିବେଷିତ ଦ୍ୱିତୀୟ ଓଡ଼ିଶୀ ଏକକ ନୃତ୍ୟ ଜୟଦେବଙ୍କ ଗୀତଗୋବିନ୍ଦରୁ ଉଦ୍ଧୃତ ରାଧା-କୃଷ୍ଣଙ୍କ ପ୍ରକୃତ ପ୍ରେମ ‘ପ୍ରିୟେ ଚାରୁଶୀଲେ’ ଯାହାର ନୃତ୍ୟ ସଂରଚନା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା ଗୁରୁ ଧନେଶ୍ୱର ସ୍ୱାଇଁ କରିଥିଲେ ।

 

ପରବର୍ତ୍ତୀ ଉପସ୍ଥାପନାରେ ଥିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ବାସି ମୋ ହୋଇଲା ଫୁଲ ଶେଯ’ରୁ ଉଦ୍ଧୃତ ରାଗ କଲ୍ୟାଣ ଓ ତାଳ ଝମ୍ପାରେ ପ୍ରସ୍ତୁତ ରାସ ବିରହ । ଯାହାକୁ ପ୍ରସ୍ତୁତ କରିଥିଲେ ସସ୍ମିତା ପଣ୍ଡା । । ଏହି ନୃତ୍ୟଟିର ସଙ୍ଗୀତ ସଂଯୋଜନା ଶ୍ରୀନିବାସ ଶତପଥୀ, ତାଳ ସଂଯୋଜନା ସଚ୍ଚିଦାନନ୍ଦ ଦାଶ ଓ ନୃତ୍ୟ ସଂରଚନା ଗୁରୁ ମୀରା ଦାସ କରିଥିଲେ ।

ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଲୁଚରଣ ମହାପାତ୍ରଙ୍କ ଘରାନା ତଥା ସୃଜନ ଅନୁଷ୍ଠାନର ଜଣେ ବରିଷ୍ଠ ନୃତ୍ୟ ଅଧ୍ୟାପିକା ରାଜଶ୍ରୀ ପ୍ରହରାଜଙ୍କ ଦ୍ୱାରା ପରିବେଷିତ ହୋଇଥିଲା ସୀତା ହରଣ ଯାହାକୁ ନୃତ୍ୟଟିକୁ ଗୁରୁ କେଲୁଚରଣ ମହାପାତ୍ର ସଂରଚନା କରିଥିଲେ ।

ପରବର୍ତ୍ତୀ କଳାକାର ଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିକ୍ଷକ ତଥା ନୃତ୍ୟଶିଳ୍ପୀ ବିଜନ୍ କୁମାର ପଲାଇ । ସେ ବାଲ୍ମିକି ରାମାୟଣରୁ ଉଦ୍ଧୃତ ସୁନ୍ଦରାକାଣ୍ଡ ଉପସ୍ଥାପିତ କରିଥିଲେ । ଏହା ସହ ଶାଶ୍ୱତୀ ଗରାଇ ଘୋଷଙ୍କ ଦ୍ୱାରା ପରିବେଷିତ ସୁପର୍ନେଖା ଯାହାର ନୃତ୍ୟ ସଂରଚନା ଗୁରୁ ଶର୍ମିଳା ବିଶ୍ଵାସ କରିଥିଲେ ।

ସନ୍ଧ୍ୟାର ଶେଷ ଉପସ୍ଥାପନା ଥିଲା ରାହୁଲ ଆଚାର୍ଯ୍ୟଙ୍କ ଦ୍ୱାରା ଭଗବାନ ଶିବଙ୍କ ପ୍ରାର୍ଥନା ପାଇଁ ଆଠଟି ପଦର ସମିଶ୍ରଣ ଶିବାଷ୍ଟକ ଯାହା ରାଗ ଭୈରବୀ ଓ ତାଳ ଏକତାଳି ଉପରେ ନିବଦ୍ଧ ଥିଲା । ସେ ଅନ୍ତର୍ଜାତୀୟ ମଞ୍ଚରେ ଅନ୍ୟତମ ପ୍ରିୟ ତଥା ଲୋକପ୍ରିୟ ଓଡ଼ିଶୀ ଏକକ ନୃତ୍ୟଶିଳ୍ପୀ । ଉକ୍ତ ପ୍ରସ୍ତୁତିଟିର ନୃତ୍ୟ ସଂରଚନା ଗୁରୁ ଦେବ ପ୍ରସାଦ ଦାସ ଏବଂ ଗୁରୁ ଦୁର୍ଗା ଚରଣ ରଣବୀର କରିଥିଲେ |

ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ରାଉତ ପରିଚାଳନା କରିଥିବା ବେଳେ ଅନନ୍ୟା ପରିଡା ସଞ୍ଚାଳନା କରିଥିଲେ ।

Leave A Reply

Your email address will not be published.