Latest Odisha News

BREAKING NEWS

ଆଜିଠୁ ଅଫଲାଇନରେ ଟିକେଟ୍ କିଣିପାରିବେ ହକି କ୍ରିଡ଼ାପ୍ରେମୀ, ୧୧ଟାରୁ ସନ୍ଧ୍ୟା ୭ଯାଏଁ କାଉଣ୍ଟର ଖୋଲା

ଭୁବନେଶ୍ୱର : ଆଜିଠୁ ଅଫଲାଇନରେ ଏବେ ଟିକେଟ ପାଇପାରିବେ ହକି କ୍ରୀଡ଼ାପ୍ରେମୀ ।  ପୂର୍ବାହ୍ନ ୧୧ଟରୁ ସନ୍ଧ୍ୟା ୭ଟା ଯାଏ କାଉଣ୍ଟର ଖୋଲା ରହିବ । ଜାନୁଆରୀ ୧୩ରେ ଭୁବନେଶ୍ୱର, ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ ।

ପୂର୍ବରୁ ଅନଲାଇନ ଟିକେଟ୍ ବିକ୍ରି ହେଉଥିଲା । ଅନଲାଇନ୍ ଟିକେଟ କାଟିଥିବା କ୍ରୀଡ଼ାପ୍ରେମାନେ ଏହି ଟିକେଟ କାଉଣ୍ଟରରୁ ଆବଶ୍ୟକୀୟ ପ୍ରମାଣ ପତ୍ର ଦେଖାଇ ଟିକେଟ ନେଇପାରିବେ । ଭାରତ ଖେଳୁଥିବା ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା, ୪୦୦ ଟଙ୍କା ଓ ୨୦୦ ଟଙ୍କା ରହିଛି । ଅନ୍ୟ ମ୍ୟାଚ ଗୁଡିକ ପାଇଁ ଟିକେଟ ମୂଲ୍ୟ ୨୦୦ ଓ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି । ଭୁବନେଶ୍ୱରରେ ମ୍ୟାଚ ପାଇଁ କଳିଙ୍ଗ ଷ୍ଟାଡିୟମର ୮ ନମ୍ୱର ଗେଟ୍ ସମ୍ମୁକ ରିଜର୍ଭ ପୋଲିସ ଲାଇନ ପଡିଆ ଓ ରାଉରକେଲା ମ୍ୟାଚ୍ ଗୁଡିକ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୬ ନମ୍ୱର ଓ ୨ ନମ୍ୱର ଗେଟ୍ କାଉଣ୍ଟରରେ ଟିକେଟ ବିକ୍ରି ହେବ ।

କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ ହଜାରରୁ ବୃଦ୍ଧି ହୋଇଥିବା ବେଳେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ମ୍ୟାଚ ଦେଖିବାର ବ୍ୟବସ୍ଥା ହୋଇଛି । ମୋଟ ୧୬ଟି ଦଳକୁ ନେଇ ଅନୁଷ୍ଠିତ ଏହି ବିଶ୍ୱକପରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ ।

ପ୍ରଥମ ଦର୍ଶକ ଭାବେ  ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ବିଶ୍ୱର ଖେଳପ୍ରେମୀଙ୍କୁ ଓଡ଼ିଶାରେ ଏହି ବିଶ୍ୱକପ୍ ଦେଖିବା ପାଇଁ ଆହ୍ୱାନ କରିଛନ୍ତି । ଆମ ଦେଶର ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.