Latest Odisha News

BREAKING NEWS

Parents Right: ବୁଢା ବାପା-ମା’କୁ ହତାଦର କରିପାରିବେନି ପୁଅ-ଝିଅ…ସୁପ୍ରିମକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ବୟସ ବଢ଼ିଗଲେ ଅପମାନ, ଅବହେଳା କିମ୍ବା ଅସୁରକ୍ଷା ସହି ରହିବାକୁ ପଡ଼ିବ ନାହିଁ। ବୃଦ୍ଧ ବାପା-ମା’ଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ସେମାନଙ୍କ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ଘରୁ ବାହାର କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇପାରିବ।  ଅର୍ଥାତ୍ ଯଦି ପିଲାମାନେ ବାପା-ମା’ଙ୍କ ଯତ୍ନ ଠିକସେ ନେଉନାହାନ୍ତି, ତାଙ୍କୁ ହତାଦାର କରୁଛନ୍ତି, ତେବେ ବାପା ମା’ ପୁଅ କିମ୍ବା ଝିଅକୁ ନିଜ ଘରୁ ବାହାର କରି ଦେଇପାରିବେ । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ପିଏସ୍ ନରସିଂହ ଓ ବିଚାରପତି ଆଲୋକ ଆରାଧେଙ୍କ ଖଣ୍ଡପୀଠ ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ୨୦୦୭ର ‘ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ’ ଅଧୀନରେ ଗଠିତ ମେଣ୍ଟେନାନ୍ସ ଟ୍ରିବ୍ୟୁନାଲ୍ ଆବଶ୍ୟକ ହେଲେ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ସମ୍ପତ୍ତି ଖାଲି କରିବାକୁ ଆଦେଶ ଦେଇପାରିବ।

ଲକ୍ଷ୍ନୌର ରବିକାନ୍ତ ଗୁପ୍ତାଙ୍କ ମାମଲାରେ ଏହି ରାୟ ଆସିଛି। ତାଙ୍କ ପୁଅ ଓ ବୋହୂ ତାଙ୍କ ସମ୍ପତ୍ତିରେ ରହୁଥିଲେ। ୨୦୨୨ ନଭେମ୍ବର ୧୫ରେ ଏସ୍‌ଡିଏମ୍ ଏହି ସମ୍ପତ୍ତି ରବିକାନ୍ତଙ୍କ ନିଜସ୍ୱ ଅର୍ଜିତ ସମ୍ପତ୍ତି ବୋଲି ଦର୍ଶାଇ ପୁଅଙ୍କୁ ଘର ଖାଲି କରିବାକୁ ଆଦେଶ ଦେଇଥିଲେ। ପରେ ଜିଲ୍ଲାପାଳ ମଧ୍ୟ ଏହି ଆଦେଶକୁ ବଜାୟ ରଖିଥିଲେ। କିନ୍ତୁ ଆହ୍ଲାବାଦ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରିଦେଇଥିଲେ। ହାଇକୋର୍ଟଙ୍କ ମତ ଥିଲା ଯେ ଟ୍ରିବ୍ୟୁନାଲ୍‌ର ଏଭଳି ଭାବେ ଘର ଖାଲି କରାଇବାର ଅଧିକାର ନାହିଁ। ଏହାକୁ ଚ୍ୟାଲେଞ୍ଜ କରି ରବିକାନ୍ତ ସୁପ୍ରିମକୋର୍ଟ ଯାଇଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ବୃଦ୍ଧଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ବିପଦରେ ପଡ଼ିଲେ ଟ୍ରିବ୍ୟୁନାଲ୍ ଆବଶ୍ୟକ ପଦକ୍ଷେପ ନେଇପାରିବ। କୋର୍ଟ ଆହୁରି କହିଛନ୍ତି, ସଭ୍ୟ ସମାଜର ପରିଚୟ ହେଉଛି ବୃଦ୍ଧ ନାଗରିକଙ୍କୁ ମିଳୁଥିବା ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା। ସମ୍ବିଧାନର ଧାରା ୨୧ ଅନୁଯାୟୀ ସମ୍ମାନର ସହ ବଞ୍ଚିବାର ଅଧିକାର ଏବଂ ଧାରା ୪୧ ଅନୁଯାୟୀ ବରିଷ୍ଠ ନାଗରିକଙ୍କ ପ୍ରତି ରାଜ୍ୟର ଦାୟିତ୍ୱକୁ ମଧ୍ୟ କୋର୍ଟ ଉଲ୍ଲେଖ କରିଛନ୍ତି। ଅର୍ଥାତ୍‌, ବୃଦ୍ଧ ବାପା-ମା’ଙ୍କ ଘରେ ରହିବାର ଅଧିକାରକୁ ସନ୍ତାନ ଅବହେଳା କିମ୍ବା ଅସୁରକ୍ଷିତ କରିପାରିବେ ନାହିଁ। ଆବଶ୍ୟକ ହେଲେ ଆଇନ ମଧ୍ୟ ବୃଦ୍ଧଙ୍କ ପକ୍ଷରେ ଠିଆ ହେବ।

Leave A Reply

Your email address will not be published.