Latest Odisha News

BREAKING NEWS

First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା

ପୁରୀ:ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ପ୍ରଥମ ଥର ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିବା ଘଟଣା ଏବେ ଚର୍ଚ୍ଚାରେ । ଫ୍ଲାଗ୍ ବିଚ୍‌କୁ ଅଲିଭ ରିଡ୍‌ଲେମାନେ ସୁରକ୍ଷିତ ଅନୁଭବ କରି ଅଣ୍ଡାଦାନ କରିଛନ୍ତି । ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । ଗୋଟିଏ ଅଲିଭ ରିଡଲେ କଇଁଛ ଏଠାକୁ ଆସି ୧୧୪ଟି ଅଣ୍ଡା ଦେଇଛି । ଗତ ରବିବାର ଏହା ଜଣାପଡ଼ିଥିଲା ।

ସୂଚନାଥାଉକି, ଏହି ଦେୟଯୁକ୍ତ ବିଚ୍ ସନ୍ଧ୍ୟା ୮ଟା ପରେ ବନ୍ଦ ହୁଏ । ତେଣୁ ଶୂନଶାନ୍ ପରିବେଶ ଦେଖି କଇଁଛ ଅଣ୍ଡାଦାନ କରିଛି । ବ୍ଲୁ ଫ୍ଲାଗ ବିଚ୍ କର୍ମଚାରୀମାନେ ଏହାକୁ ସୁରକ୍ଷିତ ଭାବେ ଜଗି ରହିଥିଲେ । ରବିବାର ସକାଳେ ବନ କର୍ମଚାରୀଙ୍କୁ ଏହି ଅଣ୍ଡାଗୁଡ଼ିକୁ ହସ୍ତାନ୍ତର କରାଯାଇଛି ।

ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ପୁରୀ ସମୁଦ୍ରକୂଳର ଦେବୀ ମୁହାଣଠାରୁ ପୁରୀ ସହର ପର୍ଯ୍ୟନ୍ତ ମୋଟ ୧୩ଟି ହାଚେରୀ ବ୍ୟବସ୍ଥା କରାଯାଇଛି । କଇଁଛମାନଙ୍କ ଅଣ୍ଡା ସଂଗ୍ରହ ନିମନ୍ତେ କର୍ମଚାରୀ ମୁତୟନ କରାଯାଇଛି । ପୁରୀ ବାଲୁଖଣ୍ଡ ଜଙ୍ଗଲକୁ ଲାଗି ରହିଥିବା ପୁରୀ ସହର ବେଳାଭୂମିରେ ଆଗରୁ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ କରିବାର ନଜିର ରହିଛି । ପେଣ୍ଠକଟା ବେଳାଭୂମିରେ ଅତୀତରେ ଅଲିଭ ରିଡଲେ ଅଣ୍ଡାଦାନ କରିଥିଲେ ।

ପୁରୀ ସହରର ବ୍ଲୁ ଫ୍ଲାଗ୍ ବିଚ୍‌ରେ ଅଲିଭ ରିଡ୍‌ଲେ ପହଞ୍ଚି ଅଣ୍ଡାଦାନ କରିଥିବାରୁ ପ୍ରଶାସନ ଶୀଘ୍ର ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ଉଚିତ୍ ବୋଲି ପରିବେଶବିତ୍ କହିଛନ୍ତି ।

Leave A Reply

Your email address will not be published.