Latest Odisha News

ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି ।

୧୯୭୭ ମସିହାରେ ପ୍ରଥମ ସିନେମା ‘ଅଭିମାନ’ରୁ ବର୍ଷିୟାନ ଅଭିନେତା ଫିଲ୍ମ ଜଗତରେ ପାଦ ଦେଇଥିଲେ । ସେ ଓଡ଼ିଆ ସମେତ ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଉତ୍ତମ ମହାନ୍ତି ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ, ମମତା ମାଗେ ମୂଲ, ପଳାତକ, ତୁଣ୍ଡବାଇଦ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି ।

ଫିଲ୍ମ ଦଣ୍ଡା ବାଳୁଙ୍ଗା ତାଙ୍କ ଫିଲ୍ମ କ୍ୟାରିୟରର ଏକ ମାଇଲ ଖୁଣ୍ଟ ସଦୃଶ । ନିଜର ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ ତାଙ୍କୁ ରାଜ୍ୟ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ଦେଇଥିଲେ । ୧୯୯୧ରେ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ ଉତ୍ତମ ମହାନ୍ତି । ୧୯୮୨ରେ ଫୁଲ ଚନ୍ଦନ ପାଇଁ ମଧ୍ୟ ତାଙ୍କୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା । ସେ ୧୯୮୨,୧୯୮୩ ଓ ୧୯୮୪ କ୍ରମାଗତ ୩ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

ତେବେ, ଫେବୃଆରୀ ୮ ତାରିଖ ସନ୍ଧ୍ୟାରେ ପରିବାର ଲୋକଙ୍କ ସହ ବିମାନରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସବୁଦିନ ପାଇଁ ଆଖି ବୁଜଲେ ଉତ୍ତମ ମହାନ୍ତି ।

Comments are closed.