ଭୁବନେଶ୍ବର: ଆଳୁ, ପିଆଜ, ରସୁଣ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟ୍ ମାର୍କେଟକୁ ଆସିଥିବା ବେଳେ ପ୍ୟାକେଟ୍ ପିଛା ୨ଟଙ୍କା ବଢାଇଛନ୍ତି ସରକାର । ରେଟ୍ ବଢିଥିବା ବେଳେ ପ୍ୟାକେଟରେ କ୍ଷୀରର ପରିମାଣ କମିଛି । ଗ୍ରାହକଙ୍କୁ ସରକାରଙ୍କ ମହଙ୍ଗା ମାଡ ସହ କ୍ଷୀର ପ୍ୟାକେ଼ଟ ରଙ୍ଗ ଗେରୁଆ କରିବା ନେଇ ବଢିଛି ରାଜନୀତି । ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ। ଏହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି ତ ନିଷ୍ପତ୍ତିକୁ ଭୁଲ କହିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ।
ରଙ୍ଗ ବଦଳିଲା…ରେଟ୍ ବଢିଲା
ବିଜେପି ସରକାରକୁ ଆସିବା ପରଠୁ ପୂର୍ବ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାର ନାଁ ପରିବର୍ତ୍ତନ କରିଛି । ପୂର୍ବରୁ ଲକ୍ଷ୍ମୀ ବସର ରଙ୍ଗ ବଦଳା ଯାଇଥିବା ବେଳେ ଏବେ ଓମଫେଡ କ୍ଷୀର ପ୍ୟାକେଟ ରଙ୍ଗ ବି ଗେରୁଆ ହୋଇଛି । ତେବେ କେବଳ ରଙ୍ଗ ବଦଳିନି ରେଟ ବି ବଢିଛି, ଯାହା ଗ୍ରାହକଙ୍କ ପକେଟକୁ ବାଧୁଛି। ପୂର୍ବରୁ ଓମଫେଡ ପ୍ୟାକେଟରେ ଅଧା ଲିଟର ବା ୫ଶହ ମିଲିଲିଟର କ୍ଷୀର ଆସେ । ହେଲେ ଏବେକାର ଗେରୁଆ ପ୍ୟାକେଟରେ ଆସୁଛି ୪୫୦ ମିଲିଲିଟର କ୍ଷୀର । ଅର୍ଥାତ ୫୦ମିଲିଲିଟର କ୍ଷୀର କମ୍ ପାଇବେ ଗ୍ରାହକ । ହେଲେ ଦାମ୍ ୨ଟଙ୍କା ଅଧିକ ଦେବେ । ଏଣିକି ୯ଶହ ମିଲିଲିଟର କ୍ଷୀର କିଣିବାକୁ ଗ୍ରାହକଙ୍କୁ ୫୬ଟଙ୍କା ଦେବାକୁ ପଡିବ । ପୂର୍ବରୁ ୧ଲିଟର ଓମଫେଡ୍ କ୍ଷୀର ପାଇଁ ୫୨ଟଙ୍କା ଦେବାକୁ ପଡୁଥିଲା। କ୍ଷୀର ପରିମାଣ କମିବା ସହ ଦରବୃଦ୍ଧିକୁ ନାପସନ୍ଦ କରିଛନ୍ତି ଗ୍ରାହକ ।
ଦର ବଢିଲା, ଚାଷୀ ପାଇବେ ତ?
ଓମଫେଡ୍ ଦରବୃଦ୍ଧି କରି ଖାଉଟିଙ୍କ ଉପରେ ମହଙ୍ଗା ମାଡ କରିଛନ୍ତି ରାଜ୍ୟସରକାର। ହେଲେ ଏଥିରୁ କେତେ ଲାଭ ପାଇବେ ଦୁଗ୍ଧ ଚାଷୀ? ଚାଷୀଙ୍କ ଠାରୁ ଓମଫେଡ ୩୫ ଟଙ୍କା ୫ ପଇସାରେ କ୍ଷୀର କିଣୁଥିବା ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଚାଷୀଙ୍କୁ କ୍ଷୀର ଲିଟର ପିଛା ଅତି କମରେ ୪୦ଟଙ୍କା ଦେବାକୁ ଦାବି ହୋଇଆସୁଛି। ତେଣୁ ଯଦି ଓମଫେଡ କ୍ଷୀର ଦାମ ବଢ଼ାଯାଇଛି ତେବେ ବର୍ଦ୍ଧିତ ଅର୍ଥ ଦୁଗ୍ଧ ଚାଷୀଙ୍କୁ ଦିଆଯିବା ପାଇଁ ଦୁଗ୍ଧ ଚାଷୀ ମହାସଂଘ ଦାବି କରିଛି । ଏହାସହ ଗାଈଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବା, ଗୋଖାଦ୍ୟର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଦାବି ହୋଇଛି । ଓମଫେଡ ଏକ ସରକାରୀ ଓ ସମବାୟ ସଂସ୍ଥା । ତେଣୁ ଦରବୃଦ୍ଧି ଓ ପ୍ୟାକେଟରେ କ୍ଷୀର ପରିମାଣ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ସଂଘ।
ତେଜିଲାଣି ଓମଫେଡ ରାଜନୀତି
ଓମଫେଡ ରଙ୍ଗ ପରିବର୍ତ୍ତନକୁ ନେଇ ତେଜିଲାଣି ରାଜନୀତି। ରଙ୍ଗ ବଦଳାଇ ରାଜ୍ୟ ସରକାର ଲୋକଙ୍କ ସହ ପ୍ରତାରଣା କରିଥିବା ବିଜେଡି କହିଛି। ଦର ବଢାଇ କ୍ଷୀର କମ୍ କରିବାକୁ ନେଇ ଟାର୍ଗେଟ୍ କରିଛି । ସରକାରୀ ସମବାୟ ସଂସ୍ଥା ଓମଫେଡ କ୍ଷୀର ଦର ବଢାଇ ଗ୍ରାହକଙ୍କ ସହ ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ମଧ୍ୟ ପ୍ରତାରଣା କରିଛି । ୯୦୦ ମିଲିଲିଟର କ୍ଷୀର ପିଛା ୪ଟଙ୍କା ବଢିଥିଲେ ବି ଦୁଗ୍ଧ ଚାଷୀଙ୍କୁ ଟଙ୍କାଟେ ବି ଅଧିକ ଦିଆଯିବ ନାହିଁ । ପ୍ରତିଦିନ ଓମଫେଡ ୫ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି, ଏଥିରୁ ଲାଭ ପାଉଥିଲେ ବି ଦୁଗ୍ଧ ଚାଷୀ ପ୍ରତାରଣାର ଶିକାର ହେଉଥିବା ବିଜେଡି କହିଛି। ସେହିପରି ରଙ୍ଗ ବଦଳ ସରକାର କହି ଟାର୍ଗେଟ୍ କରିଛି କଂଗ୍ରେସ ।
ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ମହଙ୍ଗା ମାଡ ମୁଖ୍ୟ ସମସ୍ୟା ହୋଇଛି । ପ୍ରଥମେ ଆଳୁକୁ ନେଇ ହୋହଲ୍ଲା ହେଲା ତ ପରେ ପିଆଜ, ରସୁଣ ଦରବୃଦ୍ଧି ଚିନ୍ତା ବଢାଇଲା । କ୍ଷୀର ନିତିଦିନିଆ ବ୍ୟବହାର ସାମଗ୍ରୀ ହୋଇଥିବାରୁ ଓମଫେଡ୍ କ୍ଷୀର ଦରବୃଦ୍ଧି ମଧ୍ୟବିତ୍ତଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ସେପଟେ ଦୀର୍ଘ ଦିନର ଦାବି ପରେ ବି ଦୁଗ୍ଧ ଚାଷୀଙ୍କୁ କ୍ଷୀର ଦର ଅଧିକ ନଦେଲେ ବିଜେପି ସରକାର ବିରୋଧରେ ଜନଅସନ୍ତୋଷ ବଢିପାରେ। ମହଙ୍ଗା ମାଡକୁ ନେଇ ପୂର୍ବରୁ ଅନେକ ସରକାର ବଦଳିଥିବା ବେଳେ ମୋହନ ସରକାର ବି ଏଦିଗରେ ଗୁରୁତ୍ବର ସହ ଚିନ୍ତା କରିବା ଆବଶ୍ୟକ ।
Comments are closed.