Latest Odisha News

BREAKING NEWS

ଖୁବଶୀଘ୍ର ଓମଫେଡ୍‌ ବିକିବ ଚକ୍‌ଲେଟ୍‌ ଓ ପାଣିବୋତଲ

ଭୁବନେଶ୍ବର: ବଜାରରେ ଖୁବଶୀଘ୍ର ଉପଲବ୍ଧ ହେବ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ (ଓମଫେଡ୍‌) ଚକଲେଟ୍‌ ଓ ପାଣିବୋତଲ । ଏନେଇ ବୁଧବାର ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କୁଲାଙ୍ଗେ ସୂଚନା ଦେଇ କହିଛନ୍ତି ଯେ, ଓମଫେଡ୍‌ର ଚକଲେଟ୍‌ ଡିଜାଇନ୍ ନ୍ୟାସନାଲ୍‌ ଡାଏରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି । ଏନେଇ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପୁଞ୍ଜି ନିବେଶ ପାଇଁ ଖୁବଶୀଘ୍ର ଏହାକୁ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ । ପ୍ରଡକ୍ଟରେ ବିବିଧତା ଆଣିବା ଓ ଡାଇରି ପ୍ରଡକ୍ଟରେ ମୂଲ୍ୟସଂଯୁକ୍ତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ କହିଛନ୍ତି ।

ସେହିପରି, ଆସନ୍ତା ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବୋତଲ ବିକ୍ରି ଆରମ୍ଭ କରିବ ଓମଫେଡ୍ । ଏହା ବ୍ୟତୀତ ଏବେ ଓମଫେଡ୍ ଦୈନିକ ସାଢେ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରାୟ ଅଢେଇ ଲକ୍ଷ ଚାଷୀଙ୍କଠାରୁ ସଂଗ୍ରହ କରୁଥିବାବେଳେ, ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି ଶ୍ରୀ କୁଲାଙ୍ଗେ ।

ସେହିପରି ବର୍ତ୍ତମାନ ସମୟରେ ଓମଫେଡ୍ ମାସକୁ ୧୨୦ ଟନ୍ ଘିଅ ଉତ୍ପାଦନ କରୁଥିବାବେଳେ, ଆଗାମୀ ଦିନରେ ଘିଅ ଉତ୍ପାଦନ ବୃଦ୍ଧି କରିବା ନେଇ ଓମଫେଡ୍ ଯୋଜନା ରଖିଥିବା ସେ କହିଛନ୍ତି ।

Comments are closed.