Latest Odisha News

ଆପ୍ ବିରୁଦ୍ଧରେ ଘୋଡ଼ା ବେପାର ଅଭିଯୋଗ, ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଆଗକୁ ରହିଛି ନଗର ନିଗମ ନିର୍ବାଚନ । ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗୀତା । ଆପ୍ ବିରୁଦ୍ଧରେ ବିଜେପି ଆଣିଛି ଘୋଡ଼ା ବେପାର ଅଭିଯୋଗ। ବିଜେପିର ଅଭିଯୋଗ ଦଳୀୟ ଟିକେଟ୍ ବିକୁଛି ଆପ୍ । ଗତକାଲିଠୁ ଦିଲ୍ଲୀ ରାଜନୀତି ଖୁବ ସରଗରମ ରହିଛି ।

ଆପ୍ ବିଧାୟକ ଗୁଲାବ ସିଂ ଯାଦବଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି ସଭାରେ ବସିଥିବା କିଛି ବ୍ୟକ୍ତି । ଏପରିକି ନିଜକୁ ବଞ୍ଚାଇବା ପାଇଁ ସେ ଦୌଡ଼ି ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଆକ୍ରମଣକାରୀ କେଉଁ ଦଳର ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହାର ତଦନ୍ତ କରୁଛି । କିନ୍ତୁ ଘଟଣାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଉଭୟ ଉଭୟେକୁ ଦୋଷ ଲଦାଲଦି ହେଉଛନ୍ତି ।

ଆପ୍ ବିଧାୟକ ଗୁଲା ସିଂ ଯାଦବ ମାଟିଆଲାଲରୁ ନିର୍ବାଚିତ ହୋଇଛନ୍ତି । ସେ ଗତକାଲି ଦଳୀୟ ସମର୍ଥକମାନଙ୍କୁ ନେଇ ବୈଠକ କରୁଥିଲେ । ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ଆକ୍ରମଣ କରିଥିଲେ । ସାର୍ଟ କଲାର ଧରି ଟଣା ଘୋଷରା କରିଥିଲେ । ସେମାନଙ୍କ କବଳରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ବିଧାୟକ । ଶେଷରେ ସେଠାରୁ ତାଙ୍କୁ ଦୌଡ଼ି ପଳାୟନ କରିବାକୁ ପଡିଥିଲା ।

ଏହି ଭିଡିଓକୁ ବିଜେପି ନେତାମାନେ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ସମ୍ୱିତ ପାତ୍ର ଜଣେ । ନିଜ ଟ୍ୱିଟରେ ସମ୍ୱିତ ଲେଖିଛନ୍ତି, “ସଚ୍ଚୋଟ ରାଜନୀତି କଥା କହୁଥିବା ଦଳର ଜଣେ ବିଧାୟକଙ୍କ ଥିଏଟ୍ରିକାଲ୍ ଡ୍ରାମାର ଦୃଶ୍ୟ । ଯାହାକି ଅଭାବନୀୟ ।  ଆପ୍ ଦୁର୍ନୀତିଗ୍ରସ୍ତ ହୋଇଥିବାରୁ ନିଜ ସମର୍ଥକମାନେ ମଧ୍ୟ ବିଧାୟକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇବାକୁ ପଛାଉନାହାଁନ୍ତି ।” ପୌରନିଗମ ନିର୍ବାଚନରେ ସେମାନଙ୍କ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି କହିଛନ୍ତି ସମ୍ୱିତ ପାତ୍ର ।

ଏହା ପରେ ତୁରନ୍ତ ବିଧାୟକ ଯାଦବ ବିଜେପିର ଅଭିଯୋଗକୁ ଖଣ୍ଡନ କରିଥିଲେ । ଟିକେଟ୍ ବିକ୍ରି ଅଭିଯୋଗ ଭିତ୍ତିହୀନ । ମୁଁ ଏବେ ଚାଓ୍ୱଲା ପୋଲିସ ଷ୍ଟେସନରେ ବସିଛି । ଯେଉଁମାନେ ମୋତେ ଆକ୍ରମଣ କରିଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଏଠାକୁ ବିଜେପି କର୍ପୋରେଟର ଓ ବିଜେପି ପ୍ରାର୍ଥୀ ଆସିଛନ୍ତି । ବିଜେପିକର୍ମୀ ମୋତେ ଆକ୍ରମଣ କରିଛନ୍ତି, ଏହାଠୁ ବଡ଼ ପ୍ରମାଣ ଆଉ କଣ ହୋଇପାରେ ବୋଲି ଟ୍ୱିଟ୍ କରିଛନ୍ତି ବିଧାଯକ ଯାଦବ ।  ତେବେ ଏନେଇ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.