ପୁରୀ: ଓଡ଼ିଶାରେ ପ୍ରଥମ କରି ନୌସେନା ଦିବସ ପାଳନ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପୁରୀରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି l ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିକୋଣରୁ ପୁରୀକୁ ହାଇଆଲର୍ଟରେ ରଖାଯାଇଥିବା ବେଳେ ସହର ସମେତ ପୁରୀ ବେଳାଭୂମି ବିଶେଷ କରି ବ୍ଲୁ ଫ୍ଲାଗ ବିଚ୍ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି l ନୌସେନା ଦିବସ ପାଳନ ପୂର୍ବରୁ ବେଳାଭୂମିରେ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧ ଓ ସମରକଳା ନେଇ ଅଭ୍ୟାସ କରାଯାଉଥିବା ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ସେହି ସମୟରେ ବେଳାଭୂମିକୁ ପର୍ଯ୍ୟଟକ ମାନଙ୍କ ଗମନାଗମନ ଉପରେ କଟକଣା ଲାଗୁ କରାଯାଇଛି l
ନୌସେନା ଦିବସରେ ହେବାକୁ ଥିବା ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି l
ସେପଟେ ନୌସେନା ଦିବସ ପାଳନ ପୂର୍ବରୁ ଆଜି ପୂର୍ତ୍ତ ସଚିବଙ୍କ ସମେତ ନୌସେନା ଅଧିକାରୀ ଓ ପୁରୀ ଜିଲ୍ଲାପାଳ ବ୍ଲୁ ଫ୍ଲାଗ୍ ବେଳାଭୂମିକୁ ଗସ୍ତ କରି ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟ ଗୁଡିକର ବୁଲି ସମୀକ୍ଷା କରିଛନ୍ତି । ଅନ୍ୟପଟେ ନୌସେନା ଦିବସ ପାଇଁ ଆଗାମୀ ଦିନରେ ବ୍ୟାପକ କଟକଣା ଉପରେ ନିୟମାବଳୀ ଆସିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ନୌସେନା ଦିବସରେ ୨୫ଟି ଯୁଦ୍ଧ ଜାହାଜ ଜଳପଥରେ ଓ ୪୦ଟି ଯୁଦ୍ଧ ବିମାନରେ ନୌସେନା ଅଧିକାରୀ ମାନେ ଆକାଶମାର୍ଗରେ ନିଜର ସମରକଳା ପ୍ରଦର୍ଶନ କରିବେ । ନୌସେନା ଦିବସରେ ତିନି ସେନାର ମୁଖ୍ୟ ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଆଜି କିମ୍ବା ଆସନ୍ତାକାଲି ସୁଦ୍ଧା ନୌସେନାର ଆଡମିରାଲ୍ ପୁରୀରେ ପହଞ୍ଚିବେ ବୋଲି ନୌସେନାର ବରିଷ୍ଠ ଅଧିକାରୀ କହିଛନ୍ତି ।
ପୁରୀ ସମୁଦ୍ର ତଟରେ ନୌସେନାର ଅନେକ ଯୁଦ୍ଧ ଜାହାଜ ପହଂଚିଥିବା ପରିଲକ୍ଷିତ ହୋଇଛି । ପ୍ରାୟ ୧୦ଟି ଯୁଦ୍ଧ ଜାହାଜ ଆଜି ସକାଳୁ ପୁରୀ ସମୁଦ୍ରରେ ଲାଗିଥିବାର ଦେଖିବାକୁ ମିଳିଥିବା ବେଳେ ଆକାଶମାର୍ଗରେ ଘନଘନ ପଇଁତରା ମାରୁଛି ହେଲିକପ୍ଟର l ନୌସେନା ଦିବସ ପୁର୍ବରୁ ଏହି ଯୁଦ୍ଧ ଜାହାଜକୁ ଦେଖିବାପାଇଁ ପୁରୀରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି l
ବିଶେଷ କରି ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ପକ୍ଷରୁ କରାଯାଉଥିବା ଅଭ୍ୟାସ ବେଶ ଚିତାକର୍ଷକ ହୋଇଥିବାବେଳେ ଏଥିରେ ଅନେକ ଟ୍ୟାଙ୍କ ଓ ହେଲି କ୍ୟାପ୍ଟର ବ୍ୟବହାର କରାଯାଉଥିବା ନଜରକୁ ଆସିଛି l ଡିସେମ୍ବର ୪ ତାରିଖ ଦିନ ପୁରୀ ପେଣ୍ଠକଟା ବେଳାଭୂମିରୁ ଲାଇଟ୍ ହାଉସ୍ ବା ମୁହାଣ ପର୍ଯ୍ୟନ୍ତ ନୌସେନା ଦିବସର ମଜା ନେଇପାରିବେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ଓ ଦର୍ଶକ ।
ଭରତୀୟ ନୌସେନାର ପରାକ୍ରମର ପଦର୍ଶନ ଦେଖିବା ପାଇଁ ବାହାରୁ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ପ୍ରକଟ ପାଇଥିବା ପରିଲକ୍ଷିତ ହୋଇଅଛି l ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୩୦୦ରୁ ଉର୍ଦ୍ଧ୍ବ ବରିଷ୍ଠ ଅଧିକାରୀ ପୁରୀରେ ମୁତୟନ ହେବେ ବୋଲି କିଛିଦିନ ତଳେ ସ୍ଥିତି ସମୀକ୍ଷା କରିବା ପରେ ଡିଜିପି କହିଛନ୍ତି ।