Latest Odisha News

ତୃତୀୟ ଦିନରେ ୫ ହଜାର ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ । ସମୁଦାୟ ୨୪୦୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ । ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଲା ।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଖୋର୍ଦ୍ଧା ଟାଙ୍ଗୀର ବ୍ୟକ୍ତି ସନ୍ତୋଷ ସାହୁ । ସେ ଜଣେ ଦିବ୍ୟାଜ୍ଞ । ବିଧିବଦ୍ଧଭାବେ ଉପଯୁକ୍ତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କ ଚାକିରୀ ଛଡେଇ ନିଆଯାଇଛି ବୋଲି ତାଙ୍କର ଥିଲା ଅଭିଯୋଗ । ୮ ବର୍ଷ ହେଲାଣି ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବା ପାଇଁ ସେ ବହୁତ ଦୁଃଖ କଷ୍ଟ ସହୁଛନ୍ତି । ତାଙ୍କ ସମସ୍ୟାକୁ ଉପଯୁକ୍ତ ଅନୁସନ୍ଧାନ କରାଯାଇ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସେ ଆଶ୍ୱସ୍ତ ହୋଇ ଫେରିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାର ଗୋଟିଏ ଗରିବ ପରିବାରର ଦିବ୍ୟାଙ୍ଗ ଯୁବକ ବୁଲୁ ବିଶ୍ଵାଳ । ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହିତ ପରିବାର ଚଳାଇବା ପାଇଁ ସ୍କୁଟି ଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍କୁଟି ଦିଆଯିବ ବୋଲି କହିଥିଲେ । ସେଥିପାଇଁ ସେ ଖୁସୀ ମନରେ ଫେରିଲେ ।

ଭୁବନେଶ୍ୱର ଶିରିପୁର ଅଞ୍ଚଳର ସୁଭାଷିନୀ ଦେଇ । ବୟସ ୮୨ ବର୍ଷ । ବେଗୁନିଆ ବ୍ଲକରେ ଭତ୍ତା ପାଉଛନ୍ତି । ତାଙ୍କ ଭତ୍ତାକୁ ଭୁବନେଶ୍ୱରରେ ପ୍ରଦାନ କରିବା ପାଇଁ ସେ ନିବେଦନ କଲେ ମୁଖ୍ୟମନ୍ତ୍ରୀଙ୍କୁ । ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଗଲା ।

ଏମିତି ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମାଧାନ କରିବା ପାଇଁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପାଇ ଆଶା ଓ ଭରସାର ସହିତ ଖୁସି ମନରେ ଫେରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.