ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଅଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର । ଅଷ୍ଟମୀରେ ସେ ଆଜି ରାଜଧାନୀର ବିଭିନ୍ନ ଦୂର୍ଗାପୂଜା ପେଣ୍ଡାଲ୍ ବୁଲିଛନ୍ତି । ଏହି ଅବସରରେ ସେ ପୁଣି ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି । ସେ କହିଛନ୍ତି ଅଧର୍ମ ଉପରେ ଧର୍ମର ଜୟ ହେବ, ଅସତ୍ୟ ଉପରେ ସତ୍ୟ ଓ ଅହଂକାର ଉପରେ ନ୍ୟାୟର ବିଜୟ ହେବ ।
ମା’ଙ୍କ ଦର୍ଶନ ବେଳେ ଶ୍ରୀମୟୀ କହିଛନ୍ତି ଯେ, ‘ମା’ ହେଉଛନ୍ତି ତ୍ରିଶକ୍ତି; ମହାକାଳୀ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ଶକ୍ତିଧାରିଣୀ । ଅଧର୍ମୀ ଓ ପାପୀଙ୍କୁ ନାଶ ପାଇଁ ଧରାପୃଷ୍ଠକୁ ଆସିଥାନ୍ତି । ବୈଷ୍ଣୋଦେବୀଙ୍କ ପାଖକୁ ଗଲେ ବାବା ଭୈରବଙ୍କ ମୁଣ୍ଡ ଛେଦନ ଦେଖିବେ । ବାବା ଭୈରବଙ୍କ ମୁଣ୍ଡ ପଡ଼ିଥିବା ପାହାଡ଼କୁ ବି କିଛି ଲୋକ ଯାଇଥାନ୍ତି । ସୋସିଆଲ ମିଡିଆରେ ‘ଭୈରବ’ ବାଣ ପରେ ପୁଣି ପୂଜାରେ ତେର୍ଚ୍ଛା ବାଣ ଛାଡିଛନ୍ତି ସେ ।
ସୂଚନାଯୋଗ୍ୟ, ନିକଟରେ ବିଜେଡିରୁ ସସପେଣ୍ଡ ହୋଇଛନ୍ତି ଶ୍ରୀମୟୀ ମିଶ୍ର । ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଦଳ ପକ୍ଷରୁ ସସପେଣ୍ଡ କରାଯାଇଛି । ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇ ସୋସିଆଲ ମିଡିଆରେ ସେ ଚର୍ଚ୍ଚାରେ ଥିଲେ । ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ ନିଜର ଅସନ୍ତୋଷ ଝାଡିଥିଲେ । ସେ ସିଧାସଳଖ କାହା ନାଁ ନନେଇ ଅଯୋଗ୍ୟ ରାଜା କହି ସେ ଟାର୍ଗେଟ କରିଥିଲେ ।
Comments are closed.