Latest Odisha News

BREAKING NEWS

ପୁଣି ମୁଣ୍ଡ ନୁଆଁଇଲା କାଙ୍ଗାଳ ପାକିସ୍ତାନ: ସର୍ତ୍ତ ବଦଳରେ ଆଇଏମଏଫ୍ ଦେଲା ଋଣ

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ନାହିଁ । ଋଣ ଭାରରେ ବୁଡି ରହିଛି ଦେଶ । ଦେବାଳିଆ ଭଳି ସ୍ଥିତି । ଚୀନ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଠାରୁ ଋଣ ମିଳୁଛି ସତ, କିନ୍ତୁ ସର୍ତ୍ତରେ । ଦିନକୁ ଦିନ ପାକିସ୍ତାନର ଆର୍ଥିକ ଦୁର୍ଗତି ବଢୁଥିବା ବେଳେ ଏବେ ପୁଣି ଋଣ ଦେଇଛି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମଏଫ୍ । କିନ୍ତୁ ଋଣ ବଦଳରେ ପାକିସ୍ତାନକୁ ପାଳନ କରିବାକୁ ପଡିବ କଡା ସର୍ତ୍ତ ।

ଆଇଏମଏଫଠାରୁ ପୁଣି ଋଣ ନେଲା ପାକିସ୍ତାନ

ପଡୋଶୀ ପାକିସ୍ତାନର ଦେବାଳିଆ ସ୍ଥିତି । ଘୋର ଆର୍ଥିକ ସଂକଟ ଦେଇ କିଛି ବର୍ଷ ହେବ ଗତି କରୁଛି ପାକିସ୍ତାନ । ହେଲେ ସ୍ଥିତିରେ ଆସୁନି ସୁଧାର । ବିଶ୍ୱବ୍ୟାଙ୍କ, ଆଇଏମଏଫ୍ ଭଳି ଆନ୍ତର୍ଜାତିକ ସଂସ୍ଥା ଏବଂ ସବୁଦିନିଆ ବନ୍ଧୁ ଚୀନ୍ ଠାରୁ ବାରମ୍ବାର ହାତ ପତାଉଛି ପାକିସ୍ତାନ । ଋଣ ତ ମିଳୁଛି । ହେଲେ ପୂରଣ କରିବାକୁ ପଡୁଛି ଅନେକ ସର୍ତ୍ତ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପାକିସ୍ତାନକୁ କିଛିଟା ଆଶ୍ୱସ୍ତି ଦେଇ ୭ ବିଲିୟନ ଡଲାର ଋଣ ମଞ୍ଜୁର କରିଛି । ହେଲେ ସର୍ତ୍ତ ରହିଛି ଯେ, ପାକିସ୍ତାନ ବ୍ୟାପକ ଖର୍ଚ୍ଚକାଟ ପାଇଁ ପଦକ୍ଷେପ ନେବ । ସର୍ତ୍ତରେ ରାଜି ହେଲା ପରେ ହିଁ ପାକିସ୍ତାନ ପାଇଁ ଋଣ ମଞ୍ଜୁର କରିଛି ଆଇଏମଏଫ୍ । ଋଣ ପାଇଁ ଅନୁରୋଧ କରିବାକୁ ପାକ୍ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଆମେରିକା ଯାଇଥିଲେ ।

୬ ମନ୍ତ୍ରାଳୟ ବନ୍ଦ, ଦେଢ ଲକ୍ଷ ସରକାରୀ ଚାକିରି ଶେଷ

ଆଇଏମଏଫଠୁ ୭ ବିଲିଅନ ଡଲାର ଋଣ ତ ମିଳିଲା, କିନ୍ତୁ ଏଥିପାଇଁ ପାକିସ୍ତାନ ଜନସାଧାରଣଙ୍କ ସମସ୍ୟା ଦ୍ୱିଗୁଣିତ ହେବ । ଆଇଏମଏଫ୍ ସହ ଡିଲ୍ ଅନୁସାରେ ପାକିସ୍ତାନ ସରକାର ନେଇଛନ୍ତି ଅନେକ ଖର୍ଚ୍ଚକାଟ ପଦକ୍ଷେପ । ଦେଢ ଲକ୍ଷ ସରକାରୀ ଚାକିରୀ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାକ୍ ସରକାର । ଏଥିସହ ୬ଟି ମନ୍ତ୍ରାଳୟ ଭଙ୍ଗ କରିଦେଇଛନ୍ତି ପାକ୍ ସରକାର । ଟ୍ୟାକ୍ସ–ଜିଡିପି ଅନୁପାତ ବୃଦ୍ଧି, କୃଷି ଓ ରିୟଲଇଷ୍ଟେଟ୍ ଭଳି ଅଣ ପାରମ୍ପରିକ କ୍ଷେତ୍ରରେ ଟିକସ ଲଗାଇବା ଓ ସବସିଡି ସୀମିତ ଭଳି ଆର୍ଥିକ ସଂସ୍କାର ପାଇଁ ଆଇଏମଏଫକୁ ପ୍ରତିଶ୍ରୁତି ଦେଇଛନ୍ତି ପାକ୍ ସରକାର । ଖର୍ଚ୍ଚକାଟ ପଦକ୍ଷେପ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆଇଏମଏଫ୍ ଠାରୁ ୭ ବିଲିଅନ ଡଲାର ଋଣ ସଂକଟଗ୍ରସ୍ତ ପାକିସ୍ତାନ ଅର୍ଥବ୍ୟବସ୍ଥା ପାଇଁ କେତେ ଗୁରୁତ୍ୱ ବହନ କରେ ବୋଲି ପ୍ରଶ୍ନ ଉଠିଛି । ଏହି ସର୍ତ୍ତମୂଳକ ଋଣ ଦ୍ୱାରା ଜଣେ ସାଧାରଣ ପାକିସ୍ତାନୀର ନିତିଦିନିଆ ଜୀବନ ସହଜ ହୋଇପାରିବ କି ବୋଲି ପ୍ରଶ୍ନ କରାଯାଉଛି ।

କମ୍ ହେବ ନାହିଁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା

ଆଇଏମଏଫ୍ ଠାରୁ ଆଉ ଏକ ପର୍ଯ୍ୟାୟ ଋଣ ପାଇବାରେ ସଫଳ ହୋଇଥିଲେ ମଧ୍ୟ କଡା ସର୍ତ୍ତ ପାଳନ କରିବେ ପାକ୍ ସରକାର । ତେଣୁ ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ଗତି ଦୂର କରିବାରେ ଏହା ସହାୟକ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଦରବୃଦ୍ଧି ଓ ବେକାରୀ ପାକିସ୍ତାନ ପାଇଁ ବଡ ସମସ୍ୟା ହୋଇ ରହିଛି । ଋଣ ମିଳିବାର ଅର୍ଥ ନୁହେଁ ଯେ, ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଜରୁରୀ ଜିନିଷର ଦାମ ତୁରନ୍ତ ହ୍ରାସ ପାଇବ । କିଛି ବର୍ଷ ଧରି ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତିକରୁଛି । ୨୦୨୩ରେ ପାକିସ୍ତାନ ଦେବାଳିଆ ସ୍ଥିତିକୁ ଆସିଯାଇଥିଲା । କିନ୍ତୁ ଠିକ୍ ସମୟରେ ଆଇଏମଏଫ ୩ ବିଲିଅନ ଡଲାର ଲୋନ୍ ପ୍ୟାକେଜ ଘୋଷଣା କରିବାରୁ ଅତି ଲଜ୍ଜାଜନକ ସ୍ଥିତିରୁ ବର୍ତ୍ତି ଯାଇଥିଲା ପାକିସ୍ତାନ । ଏବେ ପୁଣି ଋଣ ପାଇଁ ମୁଣ୍ଡ ନୁଆଁଇଛି ପାକିସ୍ତାନ । ଶାହାବାଜ ସରିଫ ସରକାରଙ୍କୁ ଋଣ ତ ମିଳିଛି । କିନ୍ତୁ ଯେଉଁ ସର୍ତ୍ତ ପାଳନ କରାଯିବ, ସେଥିରେ ଜନ ଅସନ୍ତୋଷ ବଢିବା ନିଶ୍ଚିତ ଜଣାପଡୁଛି ।

Leave A Reply

Your email address will not be published.