Latest Odisha News

BREAKING NEWS

‘ରାଜ୍ୟରେ ୬ ମାସରେ ଲୋକଙ୍କୁ କାମୁଡିଛନ୍ତି ଦେଢ ଲକ୍ଷ କୁକୁର’

ଭୁବନେଶ୍ବର: ଏବେ ଚାରିଆଡେ ବୁଲା କୁକୁରଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସୁପ୍ରିମକୋର୍ଟ ମଧ୍ୟ ଗତ ୧୧ ତାରିଖରେ ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ଦିନ କୁକୁରଙ୍କ ଆତଙ୍କ ବଢୁଥିବା ବେଳେ ଏହା ଭିତରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କ ଉପରେ ତଥ୍ୟ ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ସେ କହିଛନ୍ତି ଯେ, ଭୁବନେଶ୍ୱରରେ କିଛି ମାତ୍ରାରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଛି, ହେଲେ ବୁଲା କୁକୁର ସବୁ ଜାଗାରେ ଅଛନ୍ତି । ଗତ ଦୁଇ ବର୍ଷ ହେବ କୁକୁର ବନ୍ଧ୍ୟାକରଣ ବନ୍ଦ ରହିଥିଲା । ହେଲେ ଏହାକୁ ପୁଣି ଗତ ମେ’ ମାସରୁ ଆରମ୍ଭ କରାଯାଇଛି ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ।

ସେ ଆହୁରି କହିଛନ୍ତି, ସବୁ ବୁଲା କୁକୁର ଲୋକଙ୍କୁ କାମଡନ୍ତିନି ସେମାନଙ୍କ ମଧ୍ୟରେ ବହୁତ ଭଲ ବି ଅଛନ୍ତି, ଯୋଉମାନେ କେବଳ ପାଗଳ ହୋଇଥାନ୍ତି ସେମାନେ କ୍ଷତି ପହଞ୍ଚାଇଥାନ୍ତି । ସେଭଳି କ୍ଷେତ୍ରରେ ଆମକୁ କଲ୍ ଆସିଲେ ସେଠି ଆମ ଟିମ୍ ପହଞ୍ଚୁଛନ୍ତି ।

ଅନ୍ୟପଟେ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଲୋକଙ୍କୁ ସତର୍କ କରି କହିଛନ୍ତି ଯେ, ଗତ ୬ ମାସରେ ଦେଢ଼ ଲକ୍ଷ କୁକୁର କାମୁଡା କେସ୍ ସାମ୍ନାକୁ ଆସିଛି । ରାଜ୍ୟରେ ମାସକୁ ୨୦ ହଜାରରୁ ୩୦ ହଜାର କାମୁଡା ମାମଲା ଆସୁଛି । ତେଣୁ ପାଗଳ କୁକୁର ଠାରୁ ସତର୍କ ରହିବାକୁ ସେ ଲୋକଙ୍କୁ ଚେତାଇ ଦେଇଛନ୍ତି ।

Comments are closed.