Latest Odisha News

BREAKING NEWS

 ଶିକ୍ଷୟିତ୍ରୀଙ୍କୁ ଟଙ୍କା ମାଗି ନକଲି ମାଓବାଦୀ ଗିରଫ

ଲକ୍ଷ୍ମୀପୁର: ଶିକ୍ଷୟିତ୍ରୀଙ୍କୁ ମାଓବାଦୀ ନାଁ ନେଇ ମାଗୁଥିଲା ଟଙ୍କା, ନକଲି ମାଓବାଦୀକୁ ଗିରଫ କରିଛି ପୋଲିସ । କୋରାପୁଟ ଜିଲ୍ଲା ସୁନାବେଡା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି କାକିରିଗୁମା ପୋଲିସ । ଗିରଫ ଜଣଙ୍କ ହେଲେ ନରେନ୍ଦ୍ର କୁମାର ବାଘ ।

ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ପଞ୍ଚାୟତ ଆମ୍ବଳି ଆମ୍ବଗୁଡା ଗାଁ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ ଦମୟନ୍ତୀ ସାମଲଙ୍କୁ ସେଠାକାର ଜଣେ ଦୋକାନୀ ଗତ ମାସ ୨୬ ତାରିଖରେ ଏକ ଚିଠି ନେଇ ଦେଇଥିଲେ । କେହି ଜଣେ ତାଙ୍କୁ ଦେବାକୁ କହିଥିଲେ ବୋଲି ସେ କହିଥିଲେ ।  ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଖୋଲିଥିଲେ । ଚିଠିରେ ନାରାୟଣପାଟଣା ମାଓ ଡିଭିଜନର ଅରୁଣା ନାଁରେ ୧୦ ଲକ୍ଷ ଟଙ୍କା ଦିଅ ନଚେତ୍ ତମର ପରିବାରକୁ ହତ୍ୟା କରାଯିବ ବୋଲି ଲେଖାଥିଲା । ଶିକ୍ଷୟିତ୍ରୀ ଜଣଙ୍କ ଚିଠିଟିକୁ ଏତେ ଗୁରୁତ୍ବ ଦେଇନଥିଲେ । କିଛି ଦିନ ପରେ ଅର୍ଥାତ୍ ଚଳିତ ମାସ ୧୮ ତାରିଖରେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଏକ ଫୋନ୍ ଆସିଥିଲା । କେହିଜଣେ ତାଙ୍କୁ ଫୋନରେ ଧମକ ଦେଇଥିଲେ । କହିଥିଲେ,  ତମକୁ ଟଙ୍କା ମଗାଯାଇଥିଲା କାହିଁକି ନଦେଇ ଚୁପ୍ ରହିଲ । ତୁରନ୍ତ କୁହ କେଉଁଠିକୁ ଆସିଲେ ପଇସା ଦେବ । 

ଏହାପରେ ଶିକ୍ଷୟିତ୍ରୀ ଜଣଙ୍କ କାକିରିଗୁମା ଥାନକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଫୋନ୍ କଲ୍ ଆସିଥିବା ନମ୍ବରକୁ ଟ୍ରାକ୍ କରି ସୁନାବେଡା ଅଞ୍ଚଳରୁ ମାଓବାଦୀ ନାଁରେ ଲୋକଙ୍କୁ ଧମକ ଦେଉଥିବା ନରେନ୍ଦ୍ର କୁମାର ବାଘଙ୍କୁ ଗିରଫ କରିଛି ପୋଲିସ । ଏନେଇ ଲକ୍ଷ୍ମୀପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed.