Latest Odisha News

ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍‌କେସିଜି ଆଇସିୟୁରେ ଆଖି ବୁଜିଲେ ଜେନାପୁର ଅଞ୍ଚଳର ଜଣେ ବ୍ୟକ୍ତି। ଏବେବି ଆଇସିୟୁରେ ଆଉ ୨ ଜଣ ଭର୍ତ୍ତି ଅଛନ୍ତି। ମୋଟ୍ ୧୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ସୂଚନା ଥାଉକି ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରୁ ଗତକାଲି ଏଭଳି ଘଟଣା ସାମ୍ନାକୁ ଆସିଥିଲା। ରନ୍ଧା ଦେଶୀ ମଦ ପ୍ରସ୍ତୁତରୁ ଏଭଳି ହୋଇଥିବା କୁହାଯାଉଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ। ଦିଗପହଣ୍ଡି ଅଞ୍ଚଳର ମଦ ମାଫିଆ ହେଉଛନ୍ତି ସୁରେନ୍ଦ୍ର ମଲ୍ଲିକ। ଆଉ ତାଙ୍କ ସହଯୋଗ ହେଉଛନ୍ତି ନିରଞ୍ଜନ ମଲ୍ଲିକ। ଉଭୟ ନିୟମିତ ଭାବେ ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଭାଟିକୁ ମଦ ଯୋଗାଇ ଆସୁଥିଲେ। ସୋମବାର ରାତିରେ ସେହି ମଦ ପିଇଥିଲେ କରଦାଲୁଧା ଓ ଜେନାପୁର ଗାଁର କେତେକ ଲୋକ। ଆଉ ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ।

ସୋମବାର ବିଳମ୍ୱିତ ରାତିରେ ୧୬ ଜଣଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ଆଉ ୫ ଜଣଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିଟି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ମୋଟ୍‌ ୨୧ ଜଣଙ୍କ ଭିତରୁ ୧୪ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେମାନଙ୍କ ଭିତରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜିଲ୍ଲାପାଳ ଓ ଅବକାରୀ କମିଶନର ମେଡିକାଲ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ବେଆଇନ ମଦ କାରବାର ରୋକିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Comments are closed.