ଯାଜପୁର: ଲୁଟ୍ ପାଇଁ ପିଛା କରୁଥିଲେ ଦୁର୍ବୃତ୍ତ। ତେବେ ଏହି ସମୟରେ ରାସ୍ତାରେ ଦୁର୍ବୃତ୍ତଙ୍କ ବାଇକ୍କୁ ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଏଥିରେ ଉତ୍କ୍ଷିତ ହୋଇ ଅଫିସ୍ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ଏହାପରେ ସେମାନେ ପିଛା କରୁଥବା ସୁନା ଦୋକାନୀଙ୍କୁ ଗୁଳି କରିଥିଲେ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଏପରି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତବକ, ପାଣିକୋଇଲି ଛକରେ ଥିବା ଏକ ଅଳଙ୍କାର ଦୋକାନର ଦୁଇ କର୍ମଚାରୀ ସୁନୀଲ୍ ରାୟ ତାଙ୍କ ସାଥୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ କାର୍ରେ ଯାଉଥିଲେ। ଠିକ ଏହି ସମୟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍କୁ ପିଛା କରୁଥିଲେ। ତେବେ ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ବିଦ୍ୟୁତ ଅଫିସ୍ ପାଖରେ ଦୁର୍ବୃତ୍ତଙ୍କ ବାଇକ୍କୁ ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଅଫିସ୍ ଆଗରେ ଦୁର୍ଘଟଣା ଘଟିଥିବା ଦେଖି ବିଦ୍ୟୁତ୍ କର୍ମଚାରୀ ନୀଳମାଧବ ପଣ୍ଡା ଚିତ୍କାର କରିଥିଲେ। ଏଥିରେ ଦୁର୍ବୃତ୍ତମାନେ ରାଗି ଯାଇପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲା। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିବାରୁ ସେମାନେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ୩ ଦୁର୍ବୃତ୍ତଙ୍କ ଭିତରୁ ୨ ଜଣଙ୍କୁ କାବୁ କରିନେଇଥିଲେ।
ଗୁଳି ମାଡ଼ରେ ଆହତ ହୋଇଥିବା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାଣିକୋଇଲି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପକ୍ଷରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଦୁଇ ଦୁର୍ବୃତ୍ତ ଗୁରୁତର ଆହତ ହୋଇଛନ୍ତି।
Comments are closed.