Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ପିକନିକ୍ ଡ଼ଙ୍ଗା ବୁଡ଼ି ୧ ମୃତ, ୮ ଜଣ ନିଖୋଜ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ ଅନ୍ତର୍ଗତ ବାଲିଘାଟ ନିକଟ ନେପଣିଆଠାରେ ବୁଧବାର ସନ୍ଧ୍ୟାରେ ଏକ ଦେଶୀ ଡ଼ଙ୍ଗା ବୁଡ଼ି ଯିବାରୁ ପିକନିକ୍ ଯାଉଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପ୍ରାୟ ୪୦ ରୁ ୪୫ ଜଣ ବ୍ୟକ୍ତି, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ମଙ୍ଗରାଜପୁରରୁ କେନ୍ଦ୍ରାପଡ଼ାର ହୁକିଟୋଲା ଲାଇଟ୍ ହାଉସ ପରିଦର୍ଶନରେ ଯାଉଥିଲେ । ଏହି ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲାମାନେ ଥିଲେ । ପିକନିକ୍ ସାରି ଫେରୁଥିବା ବେଳେ ବାଲିଘାଟ ନିକଟସ୍ଥ ନେପଣିଆ ନିକଟ ମହାନଦୀର ଗଭୀର ଜଳରେ ଦେଶୀ ଡ଼ଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା ।

ଡ଼ଙ୍ଗାଟି ବୁଡ଼ି ଯିବାରୁ ଏଥିରେ ଥିବା ସମସ୍ତ ଯାତ୍ରୀ ଗଭୀର ଜଳରେ ଭାସି ଯାଇଥିଲେ । ସୌଭାଗ୍ୟବଶତଃ ଏକ ମାଛଧରା ଡ଼ଙ୍ଗା ଏହି ଦୁର୍ଘଟଣାସ୍ଥଳୀ ନିକଟଦେଇ ଯାଉଥିବା ବେଳେ ଧୀବରମାନେ ପ୍ରାୟ ୩୦ ଜଣ ବ୍ୟକ୍ତିଙ୍କୁ ଗଭୀର ଜଳରୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିପାରିଛନ୍ତି । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ।

ଇତିମଧ୍ୟରେ ଘଟଣାସମ୍ପର୍କରେ ଖବରପାଇ ବନବିଭାଗ ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳକୁ ଓଡ୍ରାଫଟିମ୍ ଏବଂ ଅଗ୍ନିଶମ ବିଭାଗ ଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡ଼ିଛି ଦେଶୀ ଡ଼ଙ୍ଗାଟି କ୍ଷମତାରୁ ଅଧିକ ଯାତ୍ରୀଙ୍କୁ ବହନ କରୁଥିଲା ।

Leave A Reply

Your email address will not be published.