‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ଦ୍ୱାରା ବଞ୍ଚିପାରିବ ପ୍ରାୟ ୭ ଲକ୍ଷ କୋଟି ଟଙ୍କା, ଜିଡିପି ଅଭିବୃଦ୍ଧି ୧.୬% ବଢ଼ିବ: ଜେପିସି
ଗାନ୍ଧୀନଗର: ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ବା ‘ଏକକ ନିର୍ବାଚନ’ ପ୍ରସଙ୍ଗରେ ଗଠିତ ସଂସଦୀୟ ଯୁଗ୍ମ କମିଟି (ଜେପିସି ) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।
ଜେପିସି ଅନୁଯାୟୀ, ଦେଶରେ ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା (ପୌରପାଳିକା ଓ ପଞ୍ଚାୟତ) ନିର୍ବାଚନ ଏକାସଙ୍ଗେ କରାଇବା ଦ୍ୱାରା ପ୍ରାୟ ୭ ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିବ। ଏହାସହ ଏହା ଶାସନ ବ୍ୟବସ୍ଥାର ଦକ୍ଷତା ବଢ଼ାଇବ । ଭାରତର ଜିଡିପି ଅଭିବୃଦ୍ଧି ହାରକୁ ପ୍ରାୟ ୧.୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାରେ ସହାୟକ ହେବ।
ଗତ ସନ୍ଧ୍ୟାରେ ଗାନ୍ଧୀନଗରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେପିସି ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ପି. ପି. ଚୌଧୁରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସ୍ତାବର ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ପ୍ରାୟ ୧୮୬ ଦିନ ଧରି ବ୍ୟାପକ ଅନୁସନ୍ଧାନ ଓ ଆଲୋଚନା କରି ନିଜର ରିପୋର୍ଟ ପ୍ରସ୍ତୁତ କରିଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଜେପିସିକୁ ପଠାଯାଇଥିଲା।
କମିଟିର ସୁପାରିଶ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନକୁ ଏକାସଙ୍ଗେ କରାଯିବା ପାଇଁ ପ୍ରସ୍ତାବ ରହିଛି। ଏହାପରେ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ପ୍ରଥମ ନିର୍ବାଚନର ୧୦୦ ଦିନ ମଧ୍ୟରେ ହିଁ ସମଗ୍ର ଦେଶରେ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ଶେଷ କରିବାକୁ ଆୟୋଜକମାନେ ଯୋଜନା ରଖିଛନ୍ତି।
ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍, ୨୦୨୪ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍, ୨୦୨୪ ର ଯୌଥ ସଂସଦୀୟ କମିଟିର ସଦସ୍ୟମାନେ ବର୍ତ୍ତମାନ ଗୁଜରାଟ ଗସ୍ତରେ ଅଛନ୍ତି।
ପି. ପି. ଚୌଧୁରୀଙ୍କ ନେତୃତ୍ୱରେ ଜେପିସି ପ୍ରତିନିଧି ଦଳ ଗାନ୍ଧୀନଗରର ଗିଫ୍ଟ ସିଟି କ୍ଲବ୍ଠାରେ ଗୁଜରାଟର ମୁଖ୍ୟ ଶାସନ ସଚିବ ଏମ୍. କେ. ଦାସ, ଡିଜିପି ଡଃ କେ. ଏଲ୍. ଏନ୍. ରାଓ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି କମିଟିରେ ଅଧ୍ୟକ୍ଷଙ୍କ ବ୍ୟତୀତ ମୋଟ ୩୯ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଲୋକସଭାରୁ ୨୭ ଜଣ ଏବଂ ରାଜ୍ୟସଭାରୁ ୧୨ ଜଣ ସାଂସଦ ସାମିଲ ଅଛନ୍ତି।
Comments are closed.