Latest Odisha News

BREAKING NEWS

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ରୋଗୀଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବାକୁ କୁନି ପୁଅ ହାତ ଯୋଡି ନେହୁରା ହେଲା । ହେଲେ କେହି ଶୁଣିଲେନି ତା କଥା । ଶେଷରେ ଘର ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପ୍ରହଲ୍ଲାଦନଗରର ଦ୍ୱିତୀୟ ଲେନରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ।ମୃତକ ହେଉଛନ୍ତି ମନୋଜ କୁମାର ପ୍ରହରାଜ । ଆଜି ସକାଳୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ମନୋଜଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ତା’ପରେ ଘର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ୧୦୮ ଆମ୍ବୁଲାନ୍ସ ଘର ପାଖରେ ବିଳମ୍ବରେ ପହଂଚିଥିଲା । ହେଲେ ରୋଗୀଙ୍କୁ ଜ୍ୱର ହୋଇଥିବା ଶୁଣି ହସ୍ପିଟାଲ ନେବାକୁ ମନା କରିଦେଇଥିଲା । ଏପରିକି ସାହି ପଡିଶା ଲୋକେ ମଧ୍ୟ କରୋନା ଭୟରେ କେହି ପାଖତଡ ମାଡି ନଥିଲେ ।

ରୋଗୀ ବଞ୍ଚିଥିଲା ଅବସ୍ଥାରେ ବାପାଙ୍କୁ ମେଡିକାଲ ନେବା ପାଇଁ କାକୁତି ମିନତୀ କରିଥିଲା ତାଙ୍କ କୁନି ପୁଅ । ହେଲେ ଆମ୍ବୁଲାନ୍ସ କର୍ମଚାରୀ ଜଣଙ୍କ କିଛି ଶୁଣିବା ପରିବର୍ତ୍ତେ ଯୁକ୍ତିତର୍କ କରୁଛନ୍ତି । ଆମ୍ବୁଲାନ୍ସ କର୍ମଚାରୀ ନିୟମ କାନୁନ କଥା କହୁଛନ୍ତି । ୧୦୪ ଆମ୍ବୁଲାନ୍ସ ଆସିଲେ ରୋଗୀଙ୍କୁ ନେବ ଏହା ୧୦୮ ଆମ୍ବୁଲାନ୍ସର କାମ ନାହିଁ କହି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ଛାଡି ପଳାଇଛନ୍ତି । ଶେଷରେ ଘର ବାରଣ୍ଡାରେ ପଡି ରହି ରୋଗୀଙ୍କ ଜୀବନ ଚାଲିଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ବାରମ୍ବାର ଆମ୍ବୁଲାନ୍ସ ଅବହେଳାର ଚିତ୍ର ସାମ୍ନାକୁ ଆସୁଛି । କଷ୍ଟରେ ଛଟପଟ ହୋଇ ଜୀବନ ହାରୁଛନ୍ତି ନୀରିହ ଲୋକ । ତଥାପି ରାଜ୍ୟ ସରକାରଙ୍କ ଚେତା ପଶୁନି ।

Comments are closed.