Latest Odisha News

BREAKING NEWS

ବାଂଲାଦେଶରେ କ୍ଷମତା ପରିବର୍ତ୍ତନକୁ ବର୍ଷେ

ନୂଆଦିଲ୍ଲୀ: ୨୦୨୪ ଅଗଷ୍ଟ ୫ତାରିଖ । ବଦଳିଥିଲା ବାଂଲାଦେଶର ଇତିହାସ । ଲମ୍ବା ଆନ୍ଦୋଳନ, ଶତାଧିକ ହତ୍ୟା ପରେ କ୍ଷମତାରୁ ହଟିଥିଲେ ଶେଖ୍ ହାସିନା । ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନକୁ ବର୍ଷେ ପୂରିଛି । ଏହାପରେ ଢାକାରେ ନୂଆ ବ୍ୟବସ୍ଥା ନେଇ ଆଶା ଥିଲା । ହେଲେ ଅନ୍ତରୀଣ ସରକାରର କମାଣ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତକୁ ଯିବା ପରେ ଆଶା ଆଶଙ୍କାରେ ପରିଣତ ହୋଇଛି । ଦେଶରେ ମୌଳବାଦ ବଢିଛି ତ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ନିର୍ଯାତନା ଘଟଣା ସାମନାକୁ ଆସିଛି । ବିଦେଶ ନୀତିରେ ଏକପ୍ରକାର ୟୁଟର୍ଣ୍ଣ ନେଇଛି ବାଂଲାଦେଶ । ପାକିସ୍ତାନୀ ନେତୃତ୍ବଙ୍କ ପାଇଁ ରେଡ କାର୍ପେଟ୍ ବିଛାଉଛନ୍ତି ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ । ସେପଟେ ତାଙ୍କ ନୀତି ଭାରତ ବିରୋଧୀ ଆଭିମୁଖ୍ୟକୁ ଦର୍ଶାଉଛି ।

ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆକ୍ରମଣ

ଶେଖ ହସିନାଙ୍କ ଶାସନକାଳରେ ବାଂଲାଦେଶରେ ଆର୍ଥିକ ପ୍ରଗତି ଓ ଧର୍ମନିରପେକ୍ଷତା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଜମାତ-ଏ-ଇସଲାମୀ ପରି କଟ୍ଟରପନ୍ଥୀ ସଂଗଠନ ଉପରେ କଡା ନିୟନ୍ତ୍ରଣ ରଖିଥିଲେ ଆଓ୍ବାମୀ ଲିଗ ସରକାର । ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଂଲାଦେଶର ଅନ୍ତରୀଣ ସରକାର ଜମାତ-ଏ-ଇସଲାମୀ ଉପରୁ ପ୍ରତିବନ୍ଧକ ହଟାଇବା ପରେ କଟ୍ଟରପନ୍ଥୀ ଶକ୍ତି ଆହୁରି ସଶକ୍ତ ହୋଇଛନ୍ତି । ସେପଟେ ବାଂଲାଦେଶ ଜନସଂଖ୍ୟାର ମାତ୍ର ୮ପ୍ରତିଶତ ରହିଥିବା ହିନ୍ଦୁ ରାଜନୈତିକ ଅସ୍ଥିରତାର ଶିକାର ହୋଇଛନ୍ତି । କ୍ଷମତା ପରିବର୍ତ୍ତନ ପରଠୁ ୨୨ଶହରୁ ଅଧିକ ହିଂସା ଘଟଣା ଦର୍ଜ କରାଯାଇଛି । ଦେଶର ସମ୍ବିଧାନରୁ ଧର୍ମନିରପେକ୍ଷତା ଶବ୍ଦ ହଟାଇବାକୁ ବି ଦାବି ହେଲାଣି । ଭାରତର ବିଦେଶ ସଚିବ ଢାକାରେ ୟୁନୁସଙ୍କୁ ଭେଟି ସଂଖ୍ୟାଲଘୁ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ । ହେଲେ ସ୍ଥିତିରେ ସୁଧାର ନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନି ।

ଭାରତ ସହ ବଦଳିଛି ସଂପର୍କ

ଶେଖ ହସିନା ସରକାର ବେଳେ ବାଂଲାଦେଶର ଭାରତ ସହ ବନ୍ଧୁତାପୂର୍ଣ୍ଣ ସଂପର୍କ ଥିଲା । ତେବେ କ୍ଷମତା ପରିବର୍ତ୍ତନ ପରେ ଗଠିତ ହୋଇଥିବା ନୂଆ ଦଳ ଏନସିପି ସହ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଓ ଜମତ-ଏ-ଇସଲାମୀ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଉଛନ୍ତି । ଭାରତରେ ଶେଖ ହସିନାଙ୍କୁ ଶରଣ ଦେବା ନେଇ ବାଂଲାଦେଶରେ ଭାରତ ବିରୋଧୀ ପ୍ରଚାର କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମନାରେ ବି ସମାନ ପ୍ରସଙ୍ଗ ଉଠାଇଛନ୍ତି ୟୁନୁସ । ଏହାସହ ଉତ୍ତରପୂର୍ବ ରାଜ୍ୟଙ୍କୁ ନେଇ ୟୁନୁସଙ୍କ ଦାୟିତ୍ବହୀନ ମନ୍ତବ୍ୟ ଭାରତ ସହ ସଂପର୍କ ଖରାପ କରିଛି ।

ପାକିସ୍ତାନ, ଚୀନ ସହ ନିକଟତର

କ୍ଷମତା ପରିବର୍ତ୍ତନ ପରେ ପାକିସ୍ତାନ ଓ ଚୀନ ସହ ବାଂଲାଦେଶର ସଂପର୍କ ସୁଧୁରିଛି । ଦୀର୍ଘ ବର୍ଷ ପରେ ପାକିସ୍ତାନୀ ସେନା ଓ ଆଇଏସଆଇ ଅଧିକାରୀ ବାଂଲାଦେଶ ଗସ୍ତରେ ଯାଇଛନ୍ତି । ୧୯୭୧ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ବାଂଲାଦେଶରେ ଗଣହତ୍ୟାରେ ସାମିଲ ଥିଲା । ସେଇ ପାକିସ୍ତାନ ସହ ବର୍ଷ ବର୍ଷ ଧରି ବନ୍ଦ ରହିଥିବା ସମୁଦ୍ର ପଥରେ ବାଣିଜ୍ୟ ପୁଣି ଆରମ୍ଭ ହୋଇଛି । ସେହିପରି ମହମ୍ମଦ ୟୁନୁସ ଚଳିତ ବର୍ଷ ମାର୍ଚ୍ଚରେ ବେଜିଂ ଗସ୍ତରେ ଯାଇଥିଲେ । ଚଟଗାଓଁରେ ଚୀନ୍ ଉଦ୍ୟୋଗିକ ଆର୍ଥିକ କ୍ଷେତ୍ର ଓ ମଙ୍ଗଳା ବନ୍ଦରଗାହର ଆଧୁନିକୀକରଣ ପରି ପ୍ରକଳ୍ପ ସହ ବଡ଼ ନିବେଶ, ଋଣ ଓ ଆର୍ଥିକ ଅନୁଦାନ ଦେଉଛି ଚୀନ । ବାଂଲାଦେଶ ନିକଟରେ ତୁର୍କୀଠାରୁ କିଲର ଡ୍ରୋନ୍ କିଣିବା ସହ ଭାରତୀୟ ସୀମାରେ ସାମରିକ ଭିତ୍ତିଭୂମି ମଜବୁତ କରିବାକୁ ଯୋଜନା କରିଛି ।

ଶେଖ ହାସିନାଙ୍କ ଶାସନ କାଳରେ ବାଂଲାଦେଶର ଅଭିବୃଦ୍ଧି ହାର ହାରାହାରି ୬.୫ପ୍ରତିଶତ ଥିବା ବେଳେ ଏବେ ଏହା ୪ପ୍ରତିଶତ ତଳକୁ ଖସିଯାଇଛି । ବେକାରୀ ଚରମରେ ରହିଥିବା ବେଳେ କପଡା ଉଦ୍ୟୋଗ ପରି ପ୍ରମୁଖ ଆର୍ଥିକ ଗତିବିଧି ସଂକଟରେ ରହିଛି । ସାମାଜିକସ୍ତର ହେଉ କି ଧର୍ମନିରପେକ୍ଷତା ବା ଉଦାରବାଦୀ ମୂଲ୍ୟବୋଧ, ଲଗାତର ଆକ୍ରମଣ ଜାରି ରହିଛି । ବାଂଲାଦେଶରେ ଅସ୍ଥିରତା ଭାରତ ପାଇଁ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Comments are closed.