କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସଇ) ପାଇଁ ତୃତୀୟ ଲିଙ୍ଗ ବର୍ଗଙ୍କ ବଢିଲା ଅନଲାଇନ୍ ଆବେଦନ ଅବଧି । ଆସନ୍ତା ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ଓପିଏସସି ପକ୍ଷରୁ ଇତିମଧ୍ୟରେ ଦୁଇ ଥର ଆବେଦନ ସମୟ ସୀମା ବୃଦ୍ଧି କରାଯାଇସାରିଲାଣି । ଏହାପରେ ଆଉ କୌଣସି ପରିସ୍ଥିତିରେ ଆବେଦନ ପାଇଁ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେବେ ସମୟ ସୀମା ବୃଦ୍ଧି ମଧ୍ୟରେ ପରୀକ୍ଷା ପାଇଁ ପଞ୍ଜୀକରଣ, ପରୀକ୍ଷା ପାଇଁ ଫି’ ଦାଖଲ ଏବଂ ଅନଲାଇନ୍ ଆବେଦନ କରିପାରିବେ ବୋଲି ସୂଚନା ରହିଛି । ତୃତୀୟ ଲିଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ବା ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ହେବ। ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ ।
ତେବେ ପ୍ରଥମେ ଫେବୃଆରୀ ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଏହାକୁ ୨୭ ତାରିଖ ପର୍ୟ୍ୟନ୍ତ ବଢ଼ାଯାଇଛି। ମାର୍ଚ୍ଚ ୭ ତାରିଖକୁ ଆବେଦନର ଶେଷ ତାରିଖ ରଖାଯାଇଥିଲା ଏବେ ଏଥିରେ ପୁଣି ପରିବର୍ତ୍ତନ କରାଯାଇ ମାର୍ଚ୍ଚ ୧୨ ତାରିଖ ଯାଏଁ ରଖାଯାଇଛି ।