Latest Odisha News

BREAKING NEWS

ଲକ୍‌ଡାଉନ ପାଇଁ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ଅନଲାଇନ କ୍ଲାସ

କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ । ଅନେକ କ୍ଲାସ ପରୀକ୍ଷା ଓ ବୋର୍ଡ ପରୀକ୍ଷାକୁ ଅଧାରୁ ସ୍ଥଗିତ ରଖାଯାଇଛି । ଲକ୍‌ଡାଉନ ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନଙ୍କ ଆର୍ଟ, ଗୀତ, ନାଚ ତଥା ଅନ୍ୟାନ୍ୟ କ୍ଲାସ ବି ବନ୍ଦ ରହିଛି । ଘରୁ କେହି ବାହାରୁ ନ ଥିବାରୁ ପିଲାମାନଙ୍କ ଖେଳକୁଦ ବି ବନ୍ଦ । ତେବେ ଏହି ସମୟରେ ଆଉ ଏକ ଶିକ୍ଷାବର୍ଷ ଆରମ୍ଭର ବେଳ ହୋଇଥିବାରୁ ପିଲାମାନଙ୍କର ପାଠପଢା ନେଇ ଚିନ୍ତାରେ ଏବେ ସବୁ ଅଭିଭାବକ ।

ତେବେ ପିଲାମାନଙ୍କର ପାଠପଢାରେ ଯେମିତି ଅସୁବିଧା ନ ହେବ ସେଥି ପାଇଁ କେତେକ ଶିକ୍ଷାନୁଷ୍ଠାନ, କୋଚିଂ ସେଂଟର ଆଦି ପକ୍ଷରୁ ଏବେ ଅନଲାଇନରେ ପଢାଇବା ଆରମ୍ଭ ହୋଇଗଲାଣି ।

ଭୁବନେଶ୍ୱରରେ ମଧ୍ୟ ଅନେକ ସ୍କୁଲ ଅନଲାଇନରେ ପାଠପଢା ହେଉଛି । ପ୍ରତିଦନ ନୋଟ୍ ଛାତ୍ରଛାତ୍ରୀଙ୍କ ପାଖକୁ ପଠାଯାଉଛି । ଅନଲାଇନ ପରୀକ୍ଷା କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

ଏ ନେଇ ଅଭିଭାବକ ତଥା କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଟ୍ୱିଟରେ ଲେଖିଛନ୍ତି ଯେ, ଯେତେବେଳେ ସ୍କୁଲ ଆପ୍‌ରେ ସବୁ ଦିନ ହୋମ ଆସାଇନମେଂଟ ଅପଲୋଡ ହେଉଥିବ ସେତେବେଳେ ପିଲାଙ୍କ ପାଇଁ ଲକ୍ ଡାଉନରେ ବି ପାଠପଢାରୁ ନିସ୍ତାର ନାହିଁ ।

ସେହିପରି ବିଭିନ୍ନ କୋଟିଂ ସେଂଟରଗୁଡିକରେ ମଧ୍ୟ ଅନଲାଇନ ଡିଜିଟାଲ କ୍ଲାସ ମାଧ୍ୟମରେ ପାଠପଢା ଯାଉଛି ।

ଖାଲି ପାଠନୁହେଁ ଖେଳକୁଦରେ ବି ଆରମ୍ଭ ହୋଇଛି ଘରୁ ଅନଲାଇନ କୋଚିଂ । ଭୁବନେଶ୍ୱର ଓ କଟକରେ ଥିବା ଏସ୍ ଆର୍ ଚେସ୍ ସେଂଟର ପକ୍ଷରୁ ଅନଲାଇନରେ ଚେସ୍ ଶିଖା ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୩୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିବା ସେଂଟରର ମୁଖ୍ୟ ସତ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ସାଧାରଣତଃ ସ୍କାଇପ୍‌, ମାଇକ୍ରୋସଫ୍ଟ ଟିମ୍‌, ଜୁମ୍ ଆପ୍ଲିକେସନ ଜରିଆରେ ପିଲାମାନଙ୍କୁ ପାଠ ପଢାଯାଉଛି । ରିଲାଏନ୍ସ ଫାଉଣ୍ଡେସନ ଓ ଜିଓ ପକ୍ଷରୁ ମଧ୍ୟ ଏଥି ପାଇଁ ବାବସ୍ଥା ହୋଇଥିବା ସୂଚନା ଦିଆଯାଇଛି । ଗୋଟିଏ ସ୍କୁଲ ବର୍ଷର ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଛି ଏକକ କମ୍ୟୁନିକେସନ ହବ ଏବଂ ବ୍ୟକ୍ତିଗତ ଓ ଟିମ୍ ପାଇଁ ମାଗଣା ଷ୍ଟୋରେଜ ଉପଲବ୍ଧ କରାଯାଉଛି ।

କୋରନାକୁ ଦୃଷ୍ଟିରେ ରଖି ଲୋକପ୍ରିୟ ଅନଲାଇନ କୋଚିଂ କ୍ଲାସ ବାଇଜୁସ୍ ପ୍ରଥମରୁ ଦଶମ ଣ୍ରେଣୀ ଯାଏଁ ସବୁ ପିଲାମାନଙ୍କ ପାଇଁ ଅନଲାଇନ ଲାଇବ୍ରେରୀ ବିନା ମୂଲ୍ୟରେ ଖୋଲା ରଖାଯାଇଛି । ସେହିପରି ଆମିଟି ବିଶ୍ୱବିଦ୍ୟାଳୟ ଭଳି ଅନେକ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ଡିଜିଟାଲ କ୍ଲାସ ରୁମ ଜରିଆରେ ପାଠପଢା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.