କନ୍ଧମାଳ: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି।
ତେବେ ତେର ଦିନରେ ଗୋଛାପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଜାମଝିରି ପଞ୍ଚାୟତର କିଲୁପାଙ୍ଗ ଓ ବାଦାସାଙ୍ଗି ଗାଁ ନିକଟବର୍ତ୍ତୀ ପ୍ରାୟ ୧୫୨ ଏକର ପରିମିତ ଜଙ୍ଗଲରେ ହୋଇଥିଲା ଗଞ୍ଜେଇ ଚାଷ । ଏହାକୁ ନଷ୍ଟ କରି ଦିଆଯାଇଛି । ଯାହାର ମୂଲ୍ୟ ଏକ କୋଟିରୁ ଅଧିକ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା। ଗୋଛାପଡା ଥାନାରେ ୨୫୩/୨୦୨୫ ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି ।
ସେହିପରି ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ସୂଚନାନୁସାରେ ୨ ଏକର ଜମିରେ ପ୍ରାୟ ୨ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏନେଇ ଥାନା କେସ ନମ୍ବର ୨୫୬/୨୫ ରେ ଏନଡିପିଏସ ଧାରାରେ କେସ ପଞ୍ଜୀକୃତ ହୋଇ ତଦନ୍ତ ଜାରି ରହିଛି। ସୂଚନାଥାଉକି,ଗତ ନଭେମ୍ବର ମାସ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ମିଳିଥିଲା ଯାହାକୁ ପୋଲିସ ବିଭାଗ ପୋଡ଼ି ନଷ୍ଟ କରିଥିଲା। ବହୁ ସଚେତନତା ପରେ ବି ପୁଣି ସେହି ସ୍ଥାନରେ ଗଂଜେଇ ଚାଷ ହୋଇଛି। ଏବେ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଚାଷ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ।
Comments are closed.