Latest Odisha News

BREAKING NEWS

ଅପରେସନ ସିନ୍ଦୁର: ମେ ୧୯ରେ ପାକିସ୍ତାନ ସମ୍ପର୍କରେ ସଂସଦୀୟ କମିଟିକୁ ସୂଚନା ଦେବେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ବିଷୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆସନ୍ତା ସପ୍ତାହରେ ଏକ ସଂସଦୀୟ କମିଟିକୁ ସୂଚନା ଦେବେ । ବୈଦେଶିକ ବ୍ୟାପାର ସ୍ଥାୟୀ କମିଟିର ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି ଯେ, ମିଶ୍ରି ମେ ୧୯ ତାରିଖରେ ପାକିସ୍ତାନ ସମ୍ପର୍କରେ କମିଟିକୁ ସୂଚନା ଦେବେ । ବୈଦେଶିକ ସଚିବ ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସମ୍ପର୍କରେ ବର୍ତ୍ତମାନର ବୈଦେଶିକ ନୀତି କାର୍ଯ୍ୟ ବିଷୟରେ କମିଟିକୁ ସୂଚନା ଦେବେ ।

ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଦୂର’ ଏବଂ ପରବର୍ତ୍ତୀ ସମୟରେ ଦୁଇ ଦେଶ ପରସ୍ପର ବିରୁଦ୍ଧରେ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନର ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଏଥିରେ, ବୈଦେଶିକ ସଚିବ ବର୍ତ୍ତମାନର ପରିସ୍ଥିତି ସହିତ ସମସ୍ତ ଘଟଣାକ୍ରମ ବିଷୟରେ ସଂସଦୀୟ କମିଟିକୁ ଅବଗତ କରାଇବେ । ମେ ୧୦ ତାରିଖରେ ଭାରତ ଏବଂ ପାକିସ୍ତାନ ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜି ହୋଇଥିଲେ ।

ତେବେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଦୁଇଥର ସର୍ବଦଳୀୟ ବୈଠକ ଡାକି ସାରିଛନ୍ତି । ତଥାପି, ଏହି ଦୁଇଟି ବୈଠକ ଅପରେସନ ସିନ୍ଦୂର ପୂର୍ବରୁ ଡକାଯାଇଥିଲା । ଏବେ ବିରୋଧୀ ଦଳ ଦାବି କରୁଛନ୍ତି ଯେ ସରକାର ପାକିସ୍ତାନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବା ଉଚିତ । ଅନ୍ୟପକ୍ଷରେ, ଆସନ୍ତା ସପ୍ତାହରେ ବୈଦେଶିକ ସଚିବ ସଂସଦୀୟ କମିଟିକୁ ସୂଚନା ଦେବେ ବୋଲି ସୂଚନା ଉପରେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଏକ କାପୁରୁଷୋଚିତ ଆକ୍ରମଣ କରିଥିଲେ । ଏଥିରେ ମୋଟ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହାର ଠିକ୍ ୧୫ତମ ଦିନରେ, ପହଲଗାମର ଜବାବରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲେ । ମେ ୬-୭ ରାତିରେ, ସେନା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲା । ଭାରତ କହିଛି ଯେ ଏହି ଆକ୍ରମଣ ପାକିସ୍ତାନ ଉପରେ ନୁହେଁ ବରଂ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ହୋଇଥିଲା ।

Comments are closed.