Latest Odisha News

BREAKING NEWS

ସରିନି ଅପରେସନ୍ ସିନ୍ଦୂର…କାହିଁକି ଏକଥା ବାରମ୍ବାର କହୁଛନ୍ତି ମୋଦି?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି । ହେଲେ ଅପରେସନ୍ ସିନ୍ଦୂର ସରିନଥିବା ଲଗାତର କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ମେ ୧୨ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଥିଲେ, ଅପରେସନ୍ ସିନ୍ଦୂର ଭାରତର ଆତଙ୍କବାଦ ବିରୋଧୀ ନୀତି । ଏହା କେବଳ ବନ୍ଦ ଅଛି, ଶେଷ ହୋଇନାହିଁ। ଏହାପରେ ଗୁଜରାଟ, ଗାନ୍ଧୀନଗର ଓ ପଶ୍ଚିମବଙ୍ଗରେ ରାଲିରେ ସମାନ କଥା ଦୋହରାଇଥିଲେ ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସେନାକୁ ପ୍ରସ୍ତୁତ ରହିବାକୁ ସନ୍ଦେଶ ଦେଇଛନ୍ତି । ମେ ୩୦ ତାରିଖରେ ନୌସେନାର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜନାଥ କହିଥିଲେ, ଏପର୍ଯ୍ୟନ୍ତ ଯାହା ହୋଇଛି ତାହା କେବଳ ଓ୍ବାର୍ମ ଅପ୍, ପାକିସ୍ତାନ ପୁଣି ଦୁଃସାହସ କଲେ ଏଥର ନୌସେନା ବି ଓହ୍ଲାଇବ । ପ୍ରଶ୍ନ ଉଠୁଛି, କାହିଁକି ଅପରେସନ୍ ସିନ୍ଦୂର ସରିନଥିବା କହୁଛନ୍ତି ମୋଦି ଓ ରାଜନାଥ?

ପାକିସ୍ତାନ ଉପରେ ଚାପ ପକାଇବାକୁ ପ୍ଲାନ୍

ଅପରେସନ୍ ସିନ୍ଦୂର ଶେଷ ହୋଇନଥିବା କହି ଭବିଷ୍ୟତରେ କୌଣସି ଆତଙ୍କୀ ହମଲା ହେଲେ ତାର କଡା ଜବାବ ଦେବାକୁ ସନ୍ଦେଶ ଦେଉଛି ଭାରତ । ଅସ୍ତ୍ରବିରତି ଅସ୍ଥାୟୀ ହୋଇପାରେ, ତେବେ ପାକିସ୍ତାନରେ ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ଭାରତର ନୀତି ସ୍ଥାୟୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ଉତ୍ତେଜନାପୂର୍ଣ୍ଣ କହୁଛି । ତେବେ ଅସ୍ତ୍ରବିରତି ପାକିସ୍ତାନର ପ୍ରତିବଦ୍ଧତା ଉପରେ ନିର୍ଭର କରେ ବୋଲି ଭାରତ ସ୍ପଷ୍ଟ କରିଛି । ପାକିସ୍ତାନକୁ ଆତଙ୍କୀ ଭିତ୍ତିଭୂମି ଶେଷ କରିବାକୁ ପଡିବ, ନହେଲେ ଦେଶର ଅସ୍ତିତ୍ବ ବିପଦରେ ପଡିବ ବୋଲି ମୋଦି ମନ କି ବାତରେ କହିଛନ୍ତି । ଏହାର ଅର୍ଥ ଭାରତ ପାକିସ୍ତାନର ଗତିବିଧି ଉପରେ ଭାରତ ନଜର ରଖିଛି, ଆବଶ୍ୟକ ପଡିଲେ ପୁଣି ଆକ୍ରମଣ କରିପାରେ ।

ଟ୍ରମ୍ପ ଓ ଚୀନକୁ ସନ୍ଦେଶ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବାରମ୍ବାର ଅସ୍ତ୍ରବିରତି ପାଇଁ ନିଜ ପିଠି ଥାପୁଡାଉଥିବା ବେଳେ ଏହାର ଜବାବରେ ଅପରେସନ୍ ସିନ୍ଦୂର ଶେଷ ହୋଇନଥିବା କହୁଥାଇପାରେ ଭାରତ । ଦେଶବାସୀଙ୍କୁ ସମ୍ବୋଧନ ବେଳେ ନାଁ ନନେଇ ଆମେରିକାକୁ ସନ୍ଦେଶ ଦେଇଛନ୍ତି ମୋଦି । ଚୀନ୍ ମିଡିଆ ଖୋଲାଖୋଲି ପାକିସ୍ତାନର ପ୍ରୋପାଗଣ୍ଡା ଓ୍ବାରରେ ସାମିଲ ହୋଇଥିଲା । ଚୀନକୁ ମଧ୍ୟ ନିଜ ବୟାନରେ କଡା ସନ୍ଦେଶ ଦେଇଛନ୍ତି ମୋଦି। ଶାନ୍ତିର ମାର୍ଗ ଶକ୍ତିର ବାଟ ଦେଇ ଯାଏ । ବୁଦ୍ଧ ପୂର୍ଣ୍ଣିମାରେ ମୋଦିଙ୍କ ଏହି ବାର୍ତ୍ତା ବିଶ୍ବରେ ଭାରତର ସଂଯମତା ସହ ଦୃଢ ନୀତିକୁ ଦର୍ଶାଉଛି ।

ଜନତାଙ୍କୁ ଏକଜୁଟ୍ କରିବାକୁ ଉଦ୍ୟମ

ଅପରେସନ୍ ସିନ୍ଦୂର ଶେଷ ହୋଇନଥିବା ନେଇ ବାରମ୍ବାର ଦୋହରାଇ ଆତଙ୍କବାଦ ବିରୋଧରେ ଦେଶବାସୀଙ୍କୁ ଏକଜୁଟ୍ କରିବାକୁ ଆହ୍ବାନ ଦେଉଛନ୍ତି ମୋଦି । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଧର୍ମ ପଚାରି ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ପ୍ରବଳ ଆକ୍ରୋଶ ଦେଖା ଦେଇଥିଲା । ଅପରେସନ୍ ସିନ୍ଦୂର ସାରା ଦେଶକୁ ରାଷ୍ଟ୍ରପ୍ରେମରେ ଭରିଥିବା ମୋଦି କହିଛନ୍ତି । ଦେଶବାସୀଙ୍କୁ ଏକଜୁଟ୍ କରିବା ସହ ଆତଙ୍କବାଦ ବିରୋଧରେ ରାଷ୍ଟ୍ରୀୟ ସଂକଳ୍ପକୁ ମଜବୁତ କରିଛି । ଏହାସହ ଲୋକଙ୍କୁ ଭୋକାଲ୍ ଫର ଲୋକାଲ୍ ହେବା ପାଇଁ ନାରା ଲଗାଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ବି ରଣନୈତିକ ଭୂମିକା ନେଉଛି । ମୋଦିଙ୍କ ରାଲି ଓ ଅଭିଭାଷଣର କେନ୍ଦ୍ରରେ ରହିଛି ଅପରେସନ୍ ସିନ୍ଦୂର । ଏହାଦ୍ବାରା ବିଜେପି ନିଜ ହିନ୍ଦୁତ୍ବ ଓ ରାଷ୍ଟ୍ରୀୟ ସୁରକ୍ଷା ନାରେଟିଭକୁ ମଜବୁତ କରୁଛି । ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ଅପରେସନ୍ ସିନ୍ଦୂର ନାରାର ପ୍ରଭାବ ପଡିପାରେ ବୋଲି ଚର୍ଚ୍ଚା ହେଉଛି । କେବଳ ବିହାର ନୁହେଁ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗରେ ବି ସମାନ ନାରେଟିଭ୍ ବନାଇବାକୁ ଉଦ୍ୟମ କରୁଛି ବିଜେପି । ତେବେ ମୋଦିଙ୍କ ରାଲି ପରେ ଅପରେସନ୍ ସିନ୍ଦୂରକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ ଆଣିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Comments are closed.