ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ‘ଅପରେସନ୍ ସିନ୍ଦୂର’ର ସଫଳତାକୁ ନେଇ ଦେଶ ଏବଂ ସଶସ୍ତ୍ର ବାହିନୀର ପ୍ରଶଂସା କରି କହିଛନ୍ତି ଯେ ଏହା ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏକ ଲଢେଇର ଉଦାହରଣ ଯାହାକି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇରହିବ।
ସ୍ୱାଧୀନତା ଦିବସର ପୂର୍ବରୁ ସେ ସମଗ୍ର ଜନଜାତିଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏହି ସାମରିକ ବାହିନୀ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିବ। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ପ୍ରଥମେ ଆକ୍ରମଣ କରିବ ନାହିଁ କିନ୍ତୁ ଭାରତୀୟ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଶୋଧ ନେବାକୁ କେବେହେଲେ ପଛଘୁଞ୍ଚା ମଧ୍ୟ ଦେବ ନାହିଁ। ଚଳିତ ବର୍ଷ କାଶ୍ମୀର ଭ୍ରମଣ କରିବାକୁ ଆସିଥିବା ନିରୀହ ନାଗରିକ ମାନଙ୍କୁ ହତ୍ୟା କରିବା ସମ୍ପୂର୍ଣ୍ଣ ଭାବରେ କାପୁରୁଷ ଏବଂ ଅମାନବୀୟ ଥିଲା ବୋଲି ରାଷ୍ଟ୍ରପତି ନିଜର ଅଭିଭାଷଣରେ କହିଥିଲେ।
ତେବେ ଅପରେସନ ସିନ୍ଦୂରର ପ୍ରଶଂସା କରି ସେ କହିଛନ୍ତି ଯେ ଆବଶ୍ୟକତା ପଡ଼ିଲେ ଜାତୀୟ ସୁରକ୍ଷା ପାଇଁ ସଶସ୍ତ୍ର ବାହିନୀ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ଅଟେ। ରଣନୈତିକ ସ୍ପଷ୍ଟତା ଏବଂ ବୈଷୟିକ ଦକ୍ଷତା ସହିତ, ଭାରତୀୟ ସେନା ସୀମାପାର ଆତଙ୍କବାଦୀ ମାନଙ୍କ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିବା ସେ କହିଛନ୍ତି। ଗତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଯାହାର ଜବାବ ଦେବାକୁ ଯାଇ ଭାରତ ମେ ୭ରୁ ୧୦ ପର୍ଯ୍ୟନ୍ତ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଏବଂ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ନଷ୍ଟ କରିଦେଇଥିଲା। ତେବେ ରାଷ୍ଟ୍ରପତି ଭାରତର ଏକତାକୁ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଏକତା ହିଁ ଶତ୍ରୁ ମାନଙ୍କ ପାଇଁ କଡା ଜବାବ ଅଟେ ବିଶେଷ କରି ଯେଉଁମାନେ ଭାରତକୁ ବିଭାଜିତ ଦେଖିବାକୁ ଚାହୁଛନ୍ତି।
ସେ କହିଥିଲେ ଯେ ଦେଶ ବିଭାଜନ ଯୋଗୁଁ ହୋଇଥିବା ଯନ୍ତ୍ରଣାକୁ ଆମେ କେବେ ଭୁଲି ପାରିବୁ ନାହିଁ। ବିଭାଜନ ଯୋଗୁ ଭାରତ ଅନେକ ହିଂସାର ସମ୍ମୁଖୀନ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି।
Comments are closed.